Mon. Jun 16th, 2025

ହକି ସେମିଫାଇନାଲ୍‌ରେ ଭାରତ

By amfnews Aug 27, 2018 #Featured
255 Views

ଜାକର୍ତା: ଗତଥରର ବିଜେତା ଭାରତୀୟ ପୁରୁଷ ହକି ଦଳ ଚଳିତ ଏସୀୟ କ୍ରୀଡ଼ାରେ ଲଗାତାର ଭାବେ ଚତୁର୍ଥ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ଇଣ୍ଡୋନେସିଆକୁ ୧୭-୦, ହଂକଂକୁ ୨୬-୦ ଏବଂ ଜାପାନ୍‌କୁ ୮-୦ ଗୋଲ୍‌ରେ ହରାଇଥିବା ଭାରତ ରବିବାର କୋରିଆ ବିପକ୍ଷରେ ୫-୩ ଗୋଲ୍‌ ବ୍ୟାବଧାନରେ ବିଜୟୀ ହୋଇଛି। ଏଥି ସହିତ ଭାରତ ମଧ୍ୟ ପୁଲ୍‌-ଏରେ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଏହି ମ୍ୟାଚ୍‌ ଜରିଆରେ ଯୁବ ତାରକା ବରୁଣ କୁମାର ୫୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଭାରତ ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ।

ରବିବାର କୋରିଆ ବିପକ୍ଷ ମୁକାବିଲାର ପ୍ରଥମ ମିନିଟ୍‌ରୁ ହିଁ ଭାରତ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା। ରୁପୀନ୍ଦର ପାଲ୍‌ ସିଂହ ପ୍ରଥମ ଗୋଲ୍‌ କରିଥିଲେ। ପଞ୍ଚମ ମିନିଟ୍‌ରେ ଚିଙ୍ଗଲନ୍‌ସାନା ସିଂହ କଙ୍ଗୁଜାମ ଆଉ ଏକ ଗୋଲ୍‌ ଦେଇ ପ୍ରଥମ କ୍ୱାର୍ଟର୍‌ରେ ଭାରତକୁ ୨-୦ରେ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟର୍‌ରେ ଲଳିତ ଉପାଧ୍ୟାୟ (୧୬ ମିନିଟ୍‌)ଙ୍କ ଗୋଲ୍‌ରେ ସ୍ଥିତି ୩-୦ ହୋଇଯାଇଥିଲା। ହେଲେ ଚତୁର୍ଥ କ୍ୱାର୍ଟର୍‌ରେ କୋରିଆ ଅଧିନାୟକ ମନ୍‌ଜାଏ ଜୁଙ୍ଗ୍‌ (୩୩, ୩୫ ମିନିଟ୍‌) ଲାଗ ଲାଗ ଦୁଇଟି ଗୋଲ୍‌ କରି ବ୍ୟବଧାନ କମାଇ ଦେଇଥିଲେ। କିନ୍ତୁ ଚତୁର୍ଥ ତଥା ଶେଷ କ୍ୱାର୍ଟର୍‌ରେ ମନ୍‌ପ୍ରୀତ ସିଂହ (୪୯ ମିନିଟ୍‌) ଏବଂ ଆକାଶଦୀପ ସିଂହ (୫୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତକୁ ୫-୨ରେ ଅଗ୍ରଣୀ ଦେଇଥିଲେ। ଶେଷ ମିନିଟ୍‌ରେ କୋରିଆର ଝୋଙ୍ଗୟୁନ୍‌ ଜୁଙ୍ଗ୍‌ ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ ୩-୫ କରିଥିଲେ।

By amfnews

Related Post