Wed. Nov 20th, 2024

ହକି ମହାକୁମ୍ଭରେ ମହା ଲଢ଼େଇ, ସେମିଫାଇନାଲ ଦୌଡ଼ରେ ୪ ଦଳ, ଶକ୍ତିଶାଳୀ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ

By amfnews Dec 13, 2018 #Featured
203 Views

ଭୁବନେଶ୍ୱର, ଡିସେମ୍ବର ୧୩  : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଚତୁର୍ଦ୍ଦଶ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ରେ ଆଜି କ୍ୱାର୍ଟର୍‌ ଫାଇନାଲ ରାଉଣ୍ଡର ଦ୍ୱିତୀୟ ଦିନ । ଆଜି ପ୍ରଥମ ମ୍ୟାଚ୍‌ରେ ବେଲଜିୟମ୍‌ ଓ ଜର୍ମାନୀ ମଧ୍ୟରେ କଡ଼ା ମୁକାବିଲା ହେବ । ଅନ୍ୟ ପକ୍ଷରେ ଦ୍ୱିତୀୟ ମ୍ୟାଚ୍‌କୁ ହକି ପ୍ରେମୀ ଉତ୍ସାହର ସହ ଚାହିଁ ବସିଛନ୍ତି । ସନ୍ଧ୍ୟା ୭ଟାରେ ବିଶ୍ୱ ରାଙ୍କିର ୪ ନମ୍ବରରେ ଥିବା ନେଦରଲ୍ୟାଣ୍ଡସ୍‌ ଓ ୫ ନମ୍ବର ଦଳ ଭାରତ ମୁହାଁମହିଁ ହେବେ ।

ଉପରୋକ୍ତ ଚାରୋଟି ଦଳ ସେମିଫାଇନାଲକୁ ନଜରରେ ରଖି ମଇଦାନକୁ ଓହ୍ଲାଇବ । କୌଣସି ଦଳ କେହି କାହାଠାରୁ କପ୍‌ ନୁହଁନ୍ତି । ଯେଉଁ ଦଳ ବିଜୟ ହେବ ସେହି ଦଳ ସିଧାସଳକ ସେମିଫାଇନାଲକୁ ପ୍ରବେଶ କରିବ । ଅପରାହ୍ନ ୪.୪୫ ମିନିଟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ବେଲଜିୟମ୍ ଅଲମ୍ପିକ ରୌପ୍ୟ ପଦକ ବିଜେତା । ସେହିପରି ଜର୍ମାନୀ ମଧ୍ୟ ୨ ଥର ବିଶ୍ୱକପ୍‌ ବିଜେତା ।

ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦଳ ଭାରତ ଭ୍ରମଣକାରୀ ଦଳ ନେଦରଲ୍ୟାଣ୍ଡକୁ ସାମ୍ନା କରିବ । ଚଳିତ ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ଖୁବ ଭଲ ରହିଛି । ପୁଲ୍‌-ବିରେ ଥିବା ଇଣ୍ଡିଆ ୩ ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ଓ ଗୋଟିଏ ମ୍ୟାଚ୍‌କୁ ଡ୍ର ରଖି ସିଧାସଳଖ କ୍ୱାର୍ଟର୍‌ ଫାଇନାଲକୁ ପ୍ରବେଶ କରିଛି । ଭାରତ ପୂର୍ବରୁ ଖେଳିଥିବା ତିନୋଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଅତି ଶୋଚନୀୟ ଭାବେ ପ୍ରରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ବେଲଜିୟମ୍‌ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିଥିଲା । ଏହା ପରେ କାନ୍ନାଡାକୁ ହରାଇ କ୍ୱାର୍ଟର ଫାଇନାଲକୁ ପାଇଁ ଯୋଗ୍ୟତା ଅର୍ଜନ କରିଛି । ସେଥିପାଇଁ ଭାରତୀୟ ହକିପ୍ରେମୀଙ୍କ ମଧ୍ୟରେ ଏକ ଆଶା ଉଜ୍ଜୀବିତ ହୋଇଛି । କିନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷରେ ଆଜି ଯାଏଁ କେବେ ବି ଭାରତ ବିଜୟୀ ହୋଇ ନାହିଁ । ବିଶ୍ୱରେ ୪ ନମ୍ବରରେ ଥିବା ନେଦରଲ୍ୟାଣ୍ଡ କ୍ରସ୍‌ ଓଭର ମ୍ୟାଚ୍‌ ଖେଳି କ୍ୱାର୍ଟର୍‌ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

By amfnews

Related Post