Fri. Dec 27th, 2024

ହକି ବିଶ୍ପକପ୍ ଉଦ୍ଘାଟନୀ ସମାରୋହର ସିଧା ପ୍ରସାରଣରେ କମ୍ପିଲା ରାଉରକେଲା କାର୍ଯ୍ୟକ୍ରମ ଉପଭୋଗ କଲେ ହଜାର ହଜାର ଦର୍ଶକ

By amfnews Nov 28, 2018 #Featured
86 Views

ରାଉରକେଲା, ୨୮/୧୧  : ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ ଅବସରରେ ସାରା ରାଜ୍ୟରେ ଉତ୍ସବର ବାତାବରଣ ଚାଲିଥିବା ବେଳେ ରାଉରକେଲାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଉଦ୍ଘାଟନୀ ସମାରୋହର ସିଧା ପ୍ରସାରଣ ନିମନ୍ତେ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ହକିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଶ୍ୱକପ୍ ମେଗା ଇଭେଣ୍ଟ ଆୟୋଜନ କରିଥିବା ବେଳେ ଓଡିଶାର ଏହି ଗୌରବମୟ କାର୍ଯ୍ୟକ୍ରମ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ବଡ ବଡ ସ୍କ୍ରିନ୍ ଲଗାଯାଇ ଉଦ୍ଘାଟନୀ ସମାରୋହର ସିଧା ପ୍ରସାରଣ କରାଯାଇଥିଲା ।

ସ୍ଥାନୀୟ ଉଦିତନଗର ପ୍ୟାରେଡ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହଜାର ହଜାର ଦର୍ଶକଙ୍କ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା ଅତ୍ୟନ୍ତ ବ୍ୟବସ୍ଥାପିତ ଢଙ୍ଗରେ କରାଯାଇଥିଲା । ସନ୍ଧ୍ୟା ୫ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଓଡିଶୀ ନୃତ୍ୟ ତଥା ହକି ଗୀତର ତାଳେ ତାଳେ ଦର୍ଶକ ମତୁଆଲା ହୋଇଥିବା ବେଳେ ସନ୍ଧ୍ୟା ନଇଁ ଆସିଥିଲା । ବଡ ବଡ ଏଲ୍ଇଡି ସ୍କ୍ରିନ୍ରେ କଳିଙ୍ଗ ଷ୍ଟାଡିୟମର ନବକଳେବର ଦୃଶ୍ୟ ସମସ୍ତଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା । ପରେ ପରେ ଉଦ୍ଘାଟନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କୁ ଉତ୍ସାହିତ କରିଥିଲା । ରାଉରକେଲା ମହାନଗର ନିଗମ ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ତଦାରଖ କରିଥିଲେ । ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ସନ୍ଧ୍ୟା ବଢିବା ସହ ଶୀତ ମଧ୍ୟ ବଢୁଥିଲେ ବି ଭିଡ କମି ନଥିଲା କି ଉତ୍ସାହ କମି ନଥିଲା । ସମସ୍ତଙ୍କୁ ଓଡିଆ ଭାବେ ଗର୍ବ ଅନୁଭବ ହେଉଥିଲା ଆଉ ଏକ ପରିତୃପ୍ତିର ଭାବନା ସବୁରି ମୁହଁରେ ଝଲସୁଥିଲା । ସେହିପରି ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ପ୍ରତି ୱାର୍ଡରେ ମଧ୍ୟ ବିଜୁ ଯୁବ ବାହିନୀ ପକ୍ଷରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୁ ଯୁବ ବାହିନୀ ୱାର୍ଡ ସଂଯୋଜକ ତ୍ରିପ୍ତି ସୋନମ, ଜଗଦିଶ ପାଲବାବୁ, ପ୍ରତିମା ସୋରେଙ୍ଗ, ସ୍ୱରାଜ ଗୌରବ ପରିଡା ୱାର୍ଡ ସ୍ତରୀୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବନ୍ଧମୁଣ୍ଡାର ଆମ୍ବେଦକର କ୍ଲବ୍ ଓ ଛେଣ୍ଡ କଲୋନୀର ବିଏସ୍ଏନ୍ଏଲ୍ ଛକଠାରେ ବଡ ସ୍କ୍ରିନ୍ ଲଗାଯାଇ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା ।

By amfnews

Related Post