Sat. Apr 19th, 2025

ସ୍ୱାମୀ ରୂପେଶ ଗିରଫ ହେବା ପରେ ସ୍ମିତାରାଣୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ସରପଞ୍ଚ ମଧୁସ୍ମିତା

By amfnews Oct 20, 2019 #Featured
156 Views

ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳ(୩୪)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ପୁଲିସ ଗତକାଲି ଗିରଫ କରିଛି। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ ହାଉସ ମାଲିକ ରୂପେଶଙ୍କୁ ଗିରଫ କରାଯାଇଛି ବୋଲି ଏସ୍ପି ଚରଣ ସିଂ ମୀନା ପ୍ରକାଶ କରିଥିଲେ।

ତେବେ ସ୍ୱାମୀ ରୂପେଶଙ୍କୁ ଗିରଫ କରାଯିବା ପରେ ସରପଞ୍ଚ ମଧୁସ୍ମିତା ଭଦ୍ର ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ମୋ ସ୍ୱାମୀ ଜଣେ ଭଲ ମଣିଷ। ସେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରି ଥାଆନ୍ତି, କାହାରି ଦୁଃଖ ସେ ଦେଖି ପାରନ୍ତି ନାହିଁ। ସ୍ମିତାରାଣୀଙ୍କ ପରିବାର ସହିତ ଆମ ପରିବାରର ଭଲ ସମ୍ପର୍କ ଥିଲା। ଅନେକ ସମୟରେ ଆମେ ସାଙ୍ଗ ହୋଇ ବୁଲାବୁଲି କରିବାକୁ ଯାଉ। ସ୍ମିତାରାଣୀଙ୍କ ଶାଶୁଘର ସହ ଭଲ ସମ୍ପର୍କ ନଥିଲ। ତେଣୁ ସ୍ମିତାର ବାପାଭାଇଙ୍କ ଅନୁରୋଧ କ୍ରମେ ଆମେ ତାଙ୍କୁ ସାହାଯ୍ୟ କରୁ। ସ୍ମିତାରାଣୀକୁ ମୋ ସ୍ୱାମୀ ସାହାଯ୍ୟ କରିବାକୁ ଯାଇ ଫସି ଯାଇଛନ୍ତି। କାରଣ ମୋ ସ୍ୱାମୀ ଉପରେ ତାଙ୍କର ଆଖି ଥିଲା। ତେଣୁ ସେ ମୋ ସ୍ୱାମୀକୁ ଫସାଇ ଦେଇଛି। ମୋ ସ୍ୱାମୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ।’

ଅନ୍ୟପକ୍ଷରେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ମୀନା କହିଥିଲେ, ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ୱାମୀ ରୂପେଶଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୬ ତାରିଖରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ମିତାରାଣୀ ମଧ୍ୟାହ୍ନରେ ରୂପେଶଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ପାଇଁ ରୂପେଶ ମଧ୍ୟ ତାଙ୍କୁ ପ୍ରବର୍ତାଇଥିଲେ। ଏଭଳି କିଛି ତଥ୍ୟକୁ ଭିତ୍ତି କରି ରୂପେଶଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ମୀନା କହିଥିଲେ।

By amfnews

Related Post