
ଶ୍ରୀ ଜଗନ୍ନାଥ ପାଦରେ ଶ୍ରୀପୟର, ଅଣ୍ଟାରେ ସୁନା ଓଡିଆଣୀ, ଆଖିପତାରେ ଚନ୍ଦ୍ରସୂର୍ଯ୍ୟ, ତଳଭାଗରେ ଆଡକାନି ପିନ୍ଧିଥିବା ବେଳେ ବେକରେ ଘାଗଡା, ବାହାଡା, ସେବତି ଓ କଦମ୍ବ ମାଳ ପକାଇଛନ୍ତି । ଏହା ସହ ମୁଣ୍ଡରେ ଚିତା ନିକଟରେ ଚନ୍ଦ୍ରିକା ଲଗାଇଛନ୍ତି । ଆୟୁଧ ଭାବରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଛନ୍ତି ମହାବାହୁ।

ସେହିପରି ବଳଭଦ୍ର ଆୟୁଧ ଭାବରେ ହଳ ଧରିଛନ୍ତି । ଅଣ୍ଟାରେ ସୁନାପଟି ଓଡିଆଣୀ, ଆଖିରେ ଚନ୍ଦ୍ରସୂର୍ଯ୍ୟ, ପାଦରେ ଶ୍ରୀପୟର, କପାଳ ଦେଶରେ ଅଳକା ଲଗାଇଛନ୍ତି । ଦେବୀ ସୁଭଦ୍ରା କାନରେ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଛନ୍ତି, ସୁନାପଟି ଓଡିଆଣୀ ଅଣ୍ଟାରେ ଲଗାଇ ଚନ୍ଦ୍ର ସୂର୍ୟ୍ୟ ଆଖିରେ ନାଇଛନ୍ତି । ବେକରେ ଘାଗଡା ଓ କଦମ୍ବ ମାଳ ପକାଇଥିବା ବେଳେ ଆୟୁଧ ଭାବରେ ୨ଟା ତଗଡି ଧରିଛନ୍ତି।

ଉଲ୍ଲେଖନୀୟ ଯେ, ଆଜି ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ମୁତାବକ, ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପନ୍ନ ହୋଇଥିଲା । ପରେ ମଧ୍ୟାହ୍ନ ଧୂପ ଓ ସଂନ୍ଧ୍ୟା ଧୂପ ନିର୍ଦ୍ଧାରୀତ ସମୟରେ ସମ୍ପନ୍ନ ହୋଇଥିଲା । ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ସୁନା ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସମୟ ପୂର୍ବରୁ ମଧ୍ୟ ଚତୁର୍ଦ୍ଧାମୂରତିଙ୍କ ସୁନାବେଶ ଶେଷ ହୋଇଥିଲା। ରତ୍ନଖଚିତ ଦୁଇ ଶହ କିଲୋରୁ ଉର୍ଦ୍ଧ୍ୱ ସ୍ୱର୍ଣ୍ଣ ଅଳଙ୍କାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥ ଉପରକୁ ନିଆଯାଇ ଶ୍ରୀଜୀଉମାନଙ୍କୁ ବେଶ କରାଯାଇଥିଲା। ସଂନ୍ଧ୍ୟା ୫ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଯାଇଥିବା ବେଳେ ରାତି ୧୧ଟା ପର୍ୟ୍ୟନ୍ତ ଦର୍ଶନ ବ୍ୟବସ୍ଥା ରହିଛି । ୧୧ଟା ପରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରୁ ଅଳଙ୍କାର ଓହ୍ଲାଇ ବାହାର ରତ୍ନଭଣ୍ଡାରକୁ ନିଆଯିବ ।
ତିନି ଠାକୁର ରଥାରୁଢ଼ ହେବା ପରେ ପାଗରେ ପରିବର୍ତନ ଦେଖା ଦେଇଥିବାରୁ ଆଜି ରଥଯାତ୍ରାର ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଭକ୍ତଙ୍କ ହରିବୋଲ, ହୁଳହୁଳି, ଶଙ୍ଖ, ସଂକୀର୍ତନରେ ଉଛୁଳି ଉଠୁଛି ସିଂହଦ୍ୱାର ।
ଏହି ଉପଲକ୍ଷେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ରଥ ଉପରେ ତିନି ଠାକୁରଙ୍କ ଅଧର ପଣା ନୀତି ସମ୍ପନ୍ନ ହେବ । ୨୫ ତାରିଖ ଦିନ ଶ୍ରୀଜୀଉମାନେ ନୀଳାଦ୍ରି ବିଜେ କରିବେ । ୨୬ ତାରିଖ ଠାରୁ ଭକ୍ତ ମାନେ ଆନନ୍ଦ ବଜାରରେ ନୀଳାଚଳ ଅଭଡ଼ା ପାଇପାରିବେ।