Thu. Jan 23rd, 2025

ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଲା ଅନୀତାଙ୍କ ପାର୍ଥିବ ଶରୀର

rout.subhashree22@gmail.com' By Subhashree Rout May 12, 2018 #Featured
266 Views

ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହେଲା ଅନୀତା ଦାସଙ୍କ ଶେଷକୃତ୍ୟ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗଦ୍ୱାରରେ ଅନୀତାଙ୍କ ଅନ୍ତିମ ସଂସ୍କାର କରାଯାଇଛି, ପୁତୁରା ଅଂଶୁମାନ ଦାସ ଅନୀତାଙ୍କୁ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ପରିବାର ଲୋକଙ୍କ ସହ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ ଥିଲେ ।

ଗତକାଲି ହୃଦଘାତରେ କଟକ ମିଶନ ରୋଡ୍ ବାସଭବନ ଠାରେ ଅନୀତାଙ୍କ ମୃତ୍ୟୁ ହୋଇଥିଲା । ଅନୀତା ଦାସ ଓଲିଉଡ୍ର ମା’ ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଓଲିଉଡ ଜଗତର ବହୁ କଳାକାର ଶେଷ ଦର୍ଶନ ପାଇଁ ଅନୀତାଙ୍କ କଟକ ସ୍ଥିତ ବାସଭବନ ଠାରେ ପହଞ୍ଚିଥିଲେ । ଅନୀତା ଦାସଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ଯାଜପୁର ରୋଡ୍ ବୀଣାପାଣି ସାହିସ୍ଥିତ ବାସଭବନକୁ ନିଆଯାଇଥିଲା ।

ଅନୀତା ଦାସ ଥିଲେ ଜଣେ ଅଭିଜ୍ଞ ଅଭିନେତ୍ରୀ । ପ୍ରତିଟି ଚରିତ୍ରରେ ନିଜକୁ ଫୁଟାଇ ଦର୍ଶକଙ୍କ ହୃଦୟ ଜିତିବାର କ୍ଷମତା ରଖିଥିଲେ ସେ । ମା’ ଚରିତ୍ରରେ ଘରେ ଘରେ ପହଞ୍ଚିଥିଲେ ଅନୀତା, ଏହାସହ ସେ ଭଉଣୀ, ଭାଉଜ ଆଦି ଚରିତ୍ରରେ ମଧ୍ୟ ନଜର ଆସିଥିଲେ । ତାଙ୍କ କ୍ୟାରିୟର୍ରେ ସେ ଦେଢ଼ଶହରୁ ଅଧିକ ଫିଲ୍ମ କରି ମନୋରଞ୍ଜନ ଯୋଗାଇ ଦେଇଥିଲେ ଓଡିଆ ଦର୍ଶକଙ୍କୁ ।

ଅକ୍ଟୋବର ୧ ତାରିଖ ୧୯୫୧ ମସିହାରେ ଜନ୍ମ ହୋଇଥିଲେ ଅନୀତା ଦାସ । ଯାଯାବର ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଅୟମାରମ୍ଭ କରିଥିଲେ ଅନୀତା । ପରେ ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଓଲିଉଡରେ ସୃଷ୍ଟି କରିଥିଲେ । ତପସ୍ୟା, ଭକ୍ତ ସାଲବେଗ, ଏଇତ ଦୁନିଆ ଫିଲ୍ମ ପାଇଁ ଅନୀତା ପାଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଏହାସହ ସେ ଦେଇଥିବା ହିଟ୍ ଫିଲ୍ମଗୁଡିକ ମଧ୍ୟରେ ଅଛି ପୁଅ ମୋର କଳାଠାକୁର, କି ହେବ ଶୁଆ ପୋଷିଲେ, ମା ଓ ମମତା, କୃଷ୍ଣସୁଦାମା, ବନ୍ଧୁ ମହାନ୍ତି, ନାଗଫାଶ, ତଅପୋଇ, ଶଙ୍ଖମହୁରୀ, ସଉତୁଣୀ, ମଥୁରା ବିଜୟ, ଅଲିଭା ଦାଗ, ରାମ ବଳରାମ, ଅକ୍ଷିତୃତୀୟା, ସ୍ୱପ୍ନସାଗର, ଅଗ୍ନିପରୀକ୍ଷା, ଲକ୍ଷ୍ମୀପ୍ରତିମା, ଲକ୍ଷ୍ମଣରେଖା, ଆମ ଭିତରେ କିଛି ଅଛି, ଆଇ ଲଭ ୟୁ, କାବୁଲା ବାରବୁଲା, ଆକାଶେ କି ରଙ୍ଗ ଲାଗିଲା, ସିନ୍ଦୁର ନୁହେଁ ଖେଳଘର, ରସିକ ନାଗର ଆଦି । ଅନୀତାଙ୍କ ଶେଷ ଫିଲ୍ମ ଥିଲା ଅଭୟ, ଯେଉଁଥିରେ ସେ ଅନୁଭବଙ୍କ ମା’ ଭୂମିକାରେ ନଜର ଆସିଥିଲେ ।

Related Post