Sat. Mar 7th, 2026

ସ୍ୱତନ୍ତ୍ର ପୂଜା ଆଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଭଣ୍ଡବାବା ଗିରଫ

272 Views

ହାଇଦ୍ରାବାଦ, ଜାନୁଆରୀ ୩୦ : ଜଣେ ମହିଳାଙ୍କ ସମସୃାର ସମାଧାନ କରିବା ଆଳରେ ତାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ଭଣ୍ଡ ବାବାଙ୍କୁ ଗତକାଲି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଜଗୟାପେଟା ଟାଉନ୍‍ ଥାନା ପୁଲିସ ଗିରଫ କରିଛି। ଗିରଫ ଭଣ୍ଡ ବାବାଙ୍କ ନାମ ବିଲାଲ ବୋଲି ପୁଲିସ କହିଛି। ସ୍ୱତନ୍ତ୍ର ପୂଜା ଆଳରେ ମହିଳାଙ୍କୁ ଭଣ୍ଡବାବା ଜଣକ ଯୌନ ନିର୍ଯାତନା ଦେଇଥିବା ପୁଲିସ କହିଛି।

ମହିଳାଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଦେହ ବାରମ୍ବାର ଖରାପ ରହୁଥିବାରୁ ଜଣେ ବ୍ୟକ୍ତିଙ୍କ ପରାମର୍ଶ କମେ ସେ ଏହି ଭଣ୍ଡବାବାଙ୍କ ପାଖକୁ ଆସିଥିଲେ। ତେବେ ଏଥିପାଇଁ କିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ ବୋଲି କହି କିଛି ଦିନ ରେ ଆସିବାକୁ ବାବା ତାଙ୍କୁ ପରାମର୍ଶ ଦେଇଥିଲେ। ତେବେ କିଛି ଦିନ ପରେ ସେ ତାଙ୍କ ସ୍ୱାମୀଙ୍କ ସହିତ ବାବାଙ୍କ ପାଖକୁ ଆସିବାରୁ ବାବା ତାଙ୍କୁ ଏକ ଘର ଭିତରେ ସ୍ୱତନ୍ତ୍ର ପୂଜା ଆଳରେ ବନ୍ଦ କରିଦେବା ସହିତ ତାଙ୍କ ସହିତ କୁକର୍ମ ଉଦ୍ୟମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

ତେବେ ମହିଳାଜଣକ ବାବାଙ୍କ ଏହି ଅନୈତିକ କାର୍ଯ୍ୟ କରିବାକୁ ବିରୋଧ କରିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଭିତରକୁ ଡ଼ାକିଥିଲେ। ପରିବାର ଲୋକଙ୍କ ପରାମର୍ଶକ୍ରମେ ସେ ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ପୁଲିସ କହିଛି ଯେ ଏହି ଭଣ୍ଡବାବା ଜଣକ ଏହି ପରି ଭାବେ ସ୍ୱତନ୍ତ୍ର ପୂଜା ଆଳରେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ଆଶଙ୍କା କରାଯାଉଛି। ତେଣୁ ଆମେ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଏ ନେଇ ଅଧିକ ତଦନ୍ତ ଚଳାଇଛୁ ବୋଲି ପୁଲିସ କହିଛି।ତେବେ ଲୋକେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଭଣ୍ଡବାବାମାନଙ୍କ ଚକ୍କରରେ ନ ପଡ଼ିବାକୁ ମଧ୍ୟ ପୁଲିସ ପରାମର୍ଶ ଦେଇଛି।

By amfnews

Related Post