ନୂଆଦିଲ୍ଲୀ : ଦିଲ୍ଲୀର ଗାଜିଆବାଦରେ ଏକ ଲୋମଟାଙ୍କୁରି ଦେବା ଭଳି ଘଟଣା ଘଟିଛି । ଜଣେ ଯୁବକ ନିଜ ପତ୍ନୀ ଏବଂ ୩ଜଣ ସନ୍ତାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯୁବକଜଣଙ୍କ ଅଧିକ ନିଶା କରୁଥିବାରୁ ତାଙ୍କର ନିଶା ମୁକ୍ତି କେନ୍ଦ୍ରରେ ଚିକିତ୍ସା ଚାଲୁଥିଲା । ଘଟଣାର ଦୁଇ ଦିନ ପୂର୍ବରୁ ଘରକୁ ଫେରି ଏକ ଘରୋଇ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ ଯୁବକ । କିନ୍ତୁ ଦୁଇ ଦିନ ପରେ ତାଙ୍କର ଏଭଳି ବର୍ବର କାଣ୍ଡ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ, ଅଭିଯୁକ୍ତ ପ୍ରଦୀପ କୁମାର ନିଜ ମାତା-ପିତା, ଭଉଣୀ,ପତ୍ନୀ ଏବଂ ୩ଜଣ ସନ୍ତାନଙ୍କ ସହ ଦିଲ୍ଲୀରେ ରହୁଥିଲେ । ଗୁରୁବାର ରାତିରେ ସମସ୍ତେ ଖାଇ ସାରି ଶୋଇବାକୁ ଯିବା ପରେ ପ୍ରଦୀପ ନିଜ ପତ୍ନୀ ମୁଣ୍ଡକୁ ହାତୁଡ଼ିରେ ପିଟିବା ସହ ୩ସନ୍ତାନଙ୍କ ମୁହଁରେ ୪ଇଞ୍ଚର ଟେପ୍ ଗୁଡ଼ାଇ ଦେଇଥିଲେ । ଯାହା ଦ୍ୱାରା ଅଣନିଶ୍ୱାସି ହୋଇ ୩ଜଣ ମୃତ୍ୟୁବରଣ କରିଥିଲେ । ଏହା ପରେ ପ୍ରଦୀପ ନିଜ ମୁହଁରେ ମଧ୍ୟ ଟେପ୍ ଗୁଡ଼ାଇ ଆତ୍ମହତ୍ୟା କରିଥିଲେ ।
ଶୁକ୍ରବାର ସକାଳ ସମୟରେ ପରିବାର ଲୋକେ କବାଟ ବାଡ଼ାଇ ଡ଼ାକିବା ପରେ କେହି କବାଟ ଖୋଲି ନଥିଲେ । ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଆସି କବାଟ ଭାଙ୍ଗିଥିଲା । ଯାହା ପରେ ଖଟ ଉପରେ ୪ଜଣ ମୃତଦେହ ପଡ଼ିଥିବା ସହ ତଳେ ମହିଳା ରକ୍ତ ଜୁଡ଼ୁବୁଡୁ ଅବସ୍ତାରେ ଛଟପଟ ହେଉଥିବା ଦେଖିଥିଲା ପୁଲିସ । ତୁରନ୍ତ ମହିଳାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।