Thu. Jan 16th, 2025

ସେଲ ହକି ଏକାଡେମୀ ୧୧୫ତମ ସର୍ବ ଭାରତୀୟ ଆଗା ଖାନ ସ୍ୱର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ

By amfnews Dec 11, 2018 #Featured
268 Views

ରାଉରକେଲା, ୧୧ ।୧୨  : ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମୀ ପୁନେ ସ୍ଥିତ ମେଜର ଧ୍ୟାନ ଚାନ୍ଦ ହକି ଷ୍ଟାଡିୟମରେ ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମର୍ଯ୍ୟାଦାଜନକ ୧୧୫ତମ ସର୍ବଭାରତୀୟ ଆଗା ଖାନ ସ୍ୱର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପଦାର୍ପଣରେ ଚମ୍ପିୟାନ ଆଖ୍ୟା ଲାଭ କରିଛି । ସେଲ ହକି ଏକାଡେମୀ ଏହାର ସମସ୍ତ ମ୍ୟାଚରେ ଦୃଢ ବିଜୟ ହାସଲ କରିଥିଲା । ଉକ୍ତ ଦଳ ପୁନେ ହକି ଏକାଡେମୀକୁ ୪-୧ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା । କ୍ୱାର୍ଟର ଫାଇନାଲରେ ଚଣ୍ଡିଗଡ ଏକାଦଶକୁ ୩-୨ ଗୋଲରେ ପରାସ୍ତ କରି ସେଲ ହକି ଏକାଡେମୀ ସେମି ଫାଇନାଲରେ ସ୍ଥାନ ପାଇଥିଲା ।

ଏହି ଦଳ ସେମିଫାଇନାଲରେ ମଧ୍ୟପ୍ରଦେଶ ହକି ଏକାଦଶକୁ ୪-୨ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଆର୍ମି ଏକାଦଶ ଦାନାପୁରକୁ ୨-୧ ଗୋଲରେ ପରାଜିତ କରି ସେଲ ହକି ଏକାଡେମୀ ଚମ୍ପିୟାନ ହୋଇଥିଲା । ସେଲ ହକି ଏକାଡେମୀର ପ୍ରତିଭାଶାଳୀ ଫରୱାର୍ଡ, ଜୟ ପ୍ରକାଶ ପଟେଲ ଅତି ସୁନ୍ଦର ଖେଳର ପ୍ରଦର୍ଶନ କରି ଫାଇନାଲ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଚିତ୍ତାକର୍ଷକ ଗୋଲ ରୂପେ ବିବେଚିତ ଗୋଲ ଦେଇ ମ୍ୟାନ ଅଫ୍ ଦି ମ୍ୟାଚ ଆଖ୍ୟା ଲାଭ କରିଥିଲେ । ସୂଚନାଯୋଗ୍ୟ ଯେ, ସେଲ ହକି ଏକାଡେମୀ ନିମନ୍ତେ ବର୍ଷ ୨୦୧୮ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହୋଇଛି । ଏକାଡେମୀ ଚଳିତ ବର୍ଷ ଦେଶର ବହୁ ସମ୍ମାନଜନକ ଟୁର୍ଣ୍ଣାମଣ୍ଟେରେ ସଫଳତା ଲାଭ କରିଛି ।

ଏକାଡେମୀର ବହୁ ସଦସ୍ୟ ଭାରତୀୟ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି । ସେଲ ହକି ଏକାଡେମୀର ପ୍ରାକ୍ତନ କ୍ୟାଡେଟ, ବୀରେନ୍ଦ୍ର ଲାକ୍ରା ସମ୍ପ୍ରତି ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ହକି ବିଶ୍ୱ କପରେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ଏଥି ସହିତ ସେଲ ହକି ଏକାଡେମୀର ସିଲାନନ୍ଦ ଲାକ୍ରା ଓ ପଙ୍କଜ ରଜାକ ମାଲେସିଆରେ ଅନୁଷ୍ଠିତ ସୁଲତାନ ଆଜଲାନ ସାହ କପ ହକି ଚମ୍ପିୟନସିପ ଓ ସୁଲତାନ ଜୋହର କପ ହକି ଚମ୍ପିୟନସିପରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ ।

ଚଳିତ ବର୍ଷ ସେଲ ହକି ଏକାଡେମୀନ ନବଗ୍ରହ ଟ୍ରଫି ସର୍ବ ଭାରତୀୟ ଆମନ୍ତ୍ରଣୀୟ ହକି ଟୁର୍ଣ୍ଣାମେଣ୍ଟ ଏବଂ ଅଷ୍ଟମ ବିନୋଦ ଖାଣ୍ଡେକର ୨୧ ବର୍ଷରୁ କମ ସର୍ବ ଭାରତୀୟ ସ୍ୱର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା । ସେଲ ହକି ଏକାଡେମୀ ଏହି ଅଞ୍ଚଳର ଯୁବ ହକି ପ୍ରତିଭାମାନଙ୍କର ପୃଷ୍ଠପୋଷକତା ଓ ଖେଳ ଦକ୍ଷତାର ବିକାଶ ସାଧନରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଉକ୍ରୃଷ୍ଟ ଭିତ୍ତିଭୂମି ସୁବିଧା ଓ ସୁନାମଧନ୍ୟ ପ୍ରଶିକ୍ଷକଙ୍କ ନିପୁଣ ପ୍ରଶିକ୍ଷଣ ଦ୍ୱାରା ସେଲ ହକି ଏକାଡେମୀ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାରେ ସକ୍ଷମ ହେଉଛି ଯେଉଁମାନେ ସମଗ୍ର ଅଞ୍ଚଳ ଓ ଦେଶ ପାଇଁ ଗୌରବ ଆଣି ଦେଉଛନ୍ତି ।

By amfnews

Related Post