ରାଉରକେଲା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(ସେଲ)ର ଅଧ୍ୟକ୍ଷ ଅନୀଲ କୁମାର ଚୌଧରୀ ସେଲ କର୍ମଚାରୀମାନଙ୍କ ସହିତ ପର୍ଯ୍ୟାୟକ୍ରମେ ମତବିନିମୟ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଅକ୍ଟେବାର ୬ ତାରିଖରେ କମ୍ପାନୀର ମାର୍କେଟିଙ୍ଗ ଓ ମାଇନ୍ସ ସାମୁଦାୟିକଙ୍କ ସହିତ କୋଲକାତାଠାରେ ସାକ୍ଷାତ ଆଲୋଚନା କରିଥିଲେ । ଘରୋଇ ଇସ୍ପାତ ବଜାରର ସାଂପ୍ରତିକ ସକାରାତ୍ମକ ସମ୍ଭାବନାଗୁଡିକୁ ଦୃଷ୍ଟି ରଖି ସେ କହିଥିଲେ ଯେ, “ଇସ୍ପାତ ବଜାର ଅନୁକୂଳ ରହିଛି କିନ୍ତୁ ଏହା ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ଅଟେ ।
ବଜାର ଅଂଶଧନରେ ଉନ୍ନତି ଆଣିବା ନିମନ୍ତେ ଆମକୁ ଆମର କ୍ଷମତାର ବୃଦ୍ଧି ଆଣିବା ସଙ୍ଗେ ସଙ୍ଗେ ବରାଦ ସମ୍ପାଦନକୁ ସୁଦୃଢ କରିବାକୁ ହେବ । ଆମର ସମସ୍ତ ଛୋଟ ବା ବଡ ପ୍ରକ୍ରିୟା ଗ୍ରାହକ ଆବଶ୍ରକତା ପୂରଣ ଦିଗରେ ପର୍ଯ୍ୟାବେଶିତ ହେବା ଆବଶ୍ୟକ । ଏଥିନିମନ୍ତେ ଏକ ସୁଦୃଢ ସାଙ୍ଗଠନିକ ଆକାରର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ କର୍ମଚାରୀ ଏହି କାର୍ଯ୍ୟ ପ୍ରକ୍ରିୟାର ଉତ୍ତରଦାୟୀ ହେବା ଆବଶ୍ୟକ”ା ଭାରତୀୟ ରେଳବାଇକୁ ରେଳ ଯୋଗାଣର ସମସ୍ତ ପ୍ରତିବଦ୍ଧତା ପୂରଣ ଉପରେ ଗୁରୁତ୍ୱାରୋପ କରି ସେଲ ଅଧ୍ୟକ୍ଷ କହିଥିଲେ ଯେ, ଘରୋଇ ଇସ୍ପାତ ଉଦ୍ୟୋଗର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହେଉଛି । ଘରୋଇ ଇସ୍ପାତ ଉଦ୍ୟୋଗ ଉପରେ ଗୁରୁତ୍ୱ ବୃଦ୍ଧି ଫଳରେ ଇସ୍ପାତ ଉପଯୋଗରେ ଉନ୍ନତି ଘଟିବା ସହିତ ଗ୍ରାମୀଣ ଓ ଖୁଚୁରା ବଜାର ଭଳି କ୍ଷେତ୍ରରେ ମଧ୍ୟ ଇସ୍ପାତ ଚାହିଦା ବଢୁଛି ।
ଧାର୍ଯ୍ୟ ଲକ୍ଷ୍ୟ ହାସଲ ଉପରେ ଜୋର ଦେଇ ଶ୍ରୀ ଚୌଧରୀ କହିଥିଲେ ଯେ, ସାଂପ୍ରତିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୃଶ୍ୟପଟ୍ଟରେ ସମୟଭିତ୍ତିକ କାଯ୍ୟ ସର୍ବୋଚ୍ଚ ଅଟେ । ସେଲ ଏହାର ଗ୍ରାହକ ସେବାକୁ ଅଧିକ ଉନ୍ନତତର ଗଢିବା ପାଇଁ ନିପୁଣ ରୂପେ କାର୍ଯ୍ୟ କରୁଛି ଏବଂ ସମୟାନୁବର୍ତ୍ତିତା ଏହି କ୍ଷେତ୍ରରେ ସର୍ବୋଚ୍ଚ ଅଗ୍ରାଧିକାର କ୍ଷେତ୍ର ରହିଛି । ନିକଟ ତ୍ରୈମାସିକଗୁଡିକରେ ବିକ୍ରିରେ ଉତ୍ତମ ପ୍ରଦର୍ଶନ ହାସଲ ନିମନ୍ତେ କମ୍ପାନୀର ମାର୍କେଟିଙ୍ଗ ସାମୁଦାୟିକଙ୍କ ପ୍ରୟାସର ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ, “ଘରୋଇ ଇସ୍ପାତ ଉପଯୋଗରେ ବୃଦ୍ଧିର ଧାରା ଜାରି ରହିଥିବା ପରିପ୍ରେକ୍ଷୀରେ ସେଲ ଉଦ୍ୟୋଗ ଓ ଗ୍ରାହକମାନଙ୍କର ଆବଶ୍ୟକତା ଓ ଆକାଂକ୍ଷାଗୁଡିକର ବିଶ୍ଳେଷଣ ପୂର୍ବକ ନିଜକୁ ତଦନୁଯାୟୀ ପ୍ରସ୍ତୁତ କରୁଛି” ।
ଶ୍ରୀ ଚୌଧରୀ ଆହୁରି ମଧ୍ୟ କହିଥିଲେ ଯେ, “ସେଲ ଖଣିଗୁଡିକ ଏହାର ସମସ୍ତ ପ୍ଲାଣ୍ଟଗୁଡିକର ଲୁହାପଥର ଆବଶ୍ୟକତା ମେଣ୍ଟାଉଛି । ଆମେ ଉତ୍ପାଦନ ପରିମାଣରେ ଯଥେଷ୍ଟ ବୃଦ୍ଧି ଆଣିବା ପାଇଁ ପ୍ରୟାସରତ ଥିବାବେଳେ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଉଠିଛି । ଖଣିଗୁଡିକର ଆଧୂନିକୀକରଣ ଓ ସ୍ୱଚ୍ଛ ଖନନ କୌଶଳ ସେଲର ଅଗ୍ରାଧିକାର କ୍ଷେତ୍ର ରହିଛି” । ସେଲ ଅଧ୍ୟକ୍ଷ ମତବିନିମୟ ପର୍ଯ୍ୟାୟରେ ଏଥିପୂର୍ବରୁ ଭିଲାଇ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି ଏବଂ କର୍ପୋରେଟ ଅଫିସରେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ଚୌଧରୀଙ୍କ ସହ ଏହି ଗସ୍ତରେ ବାଣିଜ୍ୟିକ ନିର୍ଦ୍ଦେଶକ ସୁଶ୍ରୀ ସୋମା ମଣ୍ଡଲ ଏବଂ ବୈଷୟିକ ନିର୍ଦ୍ଦେଶକ ଏଚ୍. ଏନ୍. ରାୟ ସାମିଲ ଥିଲେ ।

