ରାଉରକେଲା, ୨୦ା୧୧ : ସେଲ୍ର ୫୮ତମ ଉତ୍ପାଦନ ଓ ଉତ୍ପାଦକତା ବୈଠକ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇଏନ୍ଟିୟୁସି ସଭାପତି ଡ.ଜି.ସଞ୍ଜୀବରେଡ୍ଡୀ ଓ ରାଉରକେଲା ଶ୍ରମିକ ସଂଘ ସଭାନେତ୍ରୀ ଡିଏସ୍ ପାଣିକର ଏବଂ ଅନ୍ୟ ପ୍ରତିନିଧିମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନାରେ ଡ.ଜି.ସଞ୍ଜୀବରେଡ୍ଡୀ ଓ ଡିଏସ୍ ପାଣିକର ସେଲ୍ର ଶ୍ରମିକ କର୍ମଚାରୀମାନଙ୍କ ପାଇଁ ତୁରନ୍ତ ଏନ୍ଜେସିଏସ୍ ବୈଠକ ଆରମ୍ଭ କରି ନୂତନ ବେତନ ଚୁକ୍ତିନାମା ସମ୍ପନ୍ନ କରିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗର ଉତ୍ତର ରଖି ସେଲ୍ ମ୍ୟାନେଜମେଣ୍ଟ କେନ୍ଦ୍ର ସରକାର ଓ ଇସ୍ପାତ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ୨୦୧୭-୧୮ ଆର୍ôଥକ ବର୍ଷର ଲାଭ, କ୍ଷତିର ସମୀକ୍ଷା କରାଯାଇ ବୈଠକ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ ।
ଏହାକୁ ଆଇଏନ୍ଟିୟୁସି ସହିତ ସମସ୍ତ ୟୁନିୟନ ପ୍ରତ୍ୟାଖ୍ୟାନ କରିଥିଲେ ଓ ତୁରନ୍ତ ବୈଠକ ଆରମ୍ଭ ପାଇଁ ଦୃଢ ଦାବି କରିଥିଲେ । ଜୁନିୟର ଇଞ୍ଜିନିୟର ଓ ଅନ୍ୟ ଡେଜିଗନେସନ ଉପରେ ଆଲୋଚନାରେ ସେଲ୍ ମ୍ୟାନେଜମେଣ୍ଟ ସମସ୍ତ ୟୁନିୟନରୁ ୨ ଜଣ ଲେଖାଏ ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରି ଡାଇରେକ୍ଟର ପର୍ସନାଲଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେଲ୍ର ଇସ୍ପାତ ସହରାଞ୍ଚଳର ବାସଗୃହ ଓ ରାସ୍ତାଘାଟର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ୨୦୦ କୋଟିର ଏକ ଫଣ୍ଡ ସୃଷ୍ଟି ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏଥିସହ ୧୦୦ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମଧ୍ୟ ଆଇଏନ୍ଟିୟୁସି ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ଠିକା ଶ୍ରମିକମାନଙ୍କ ବେତନ ନିର୍ଦ୍ଧାରଣ ଓ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ମଜୁରୀ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ଶ୍ରୀ ରେଡ୍ଡୀ ଓ ଶ୍ରୀମତୀ ପାଣିକର ଦାବି କରିଥିଲେ । ଏହାର ସମାଧାନ ପାଇଁ ସେଲ୍ ମ୍ୟାନେଜମେଣ୍ଟ ପ୍ରତିଶ୍ରୁତି ଦେଇଥିଲେ ।