Wed. Jan 8th, 2025

ସେକ୍ଟର-୬ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

By amfnews Jan 15, 2019 #Featured
212 Views

ରାଉରକେଲା, ୧୫ା୧  : ସେକ୍ଟର-୬ ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ମୁଦୁଲିଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ରା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ରଥ, ଆନ୍ତର୍ଜାତିକ ଦିବ୍ୟାଙ୍ଗ କ୍ରୀଡା ପ୍ରଶିକ୍ଷକ ସରୋଜ କୁମାର ମହାନ୍ତି, ଜୟ ଚନ୍ଦ୍ର ପ୍ରଧାନ, ବୃନ୍ଦାବନ ଜେନା ଓ ପରିଚାଳନା ସମିତି ସଭାପତି ରତିକାନ୍ତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କ୍ରୀଡା ଶିକ୍ଷକ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟାରେ ଜିଲା ତଥା ରାଜ୍ୟରେ କ୍ରୀଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଯଥା ଶେଖର ନାଏକ, ରାହୁଲ ବାଗ, ଆଶା ମୁଣ୍ଡାରୀ, ଲକ୍ଷ୍ମୀ ଭୂମିଜ, ସୋନୁ ନାଏକ, ରାହୁଲ ନାଏକ, ରୋଶନୀ ନାଏକ, ସୁଦୀପ ବରାଡ, ଅନୀଲ କୁମାର ମହାନ୍ତି, ତାପସ ସେନାପତି, ଦୀପକ ବେହେରା, ରୋହିତ ଥାପା, ବିକି ଚାୱାଲା ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାରୁ ମୁଖ୍ୟ ଅତିଥି ଶ୍ରୀ ବେହେରା କ୍ରୀଡା ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଥିଲେ । ସରକାର ସମସ୍ତ ପ୍ରକାରର ସୁଷମ ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ଓ ଜୋତା ପର୍ଯ୍ୟନ୍ତ ଦେଉଛନ୍ତି । ଛାତ୍ରଛାତ୍ରୀ ଏହା ସଠିକ୍ ସଦୁପଯୋଗ କରୁଥିବାରୁ ବିଦ୍ୟାଳୟକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଆସିବା ପାଇଁ ସମ୍ମାନିତ ଅତିଥି ଶ୍ରୀ ରଥ ଶିକ୍ଷକମାନଙ୍କୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ।

ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ମୁଦୁଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ କୁନ୍ତଳା ନାୟକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ ଓ ସମ୍ବଲପୁର ନୃତ୍ୟ ପରିବେଷଣ କରିଥିଲେ । ଆର୍ପିଏଲ୍ କ୍ଲଷ୍ଟର ସିଆର୍ସିସି ଭାସ୍କର ନନ୍ଦ ମଞ୍ଚ ପରିଚାଳନା କରିବା ସହ ରାଜ୍ୟରେ କ୍ରୀଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀ ଯଥା ଦିଲ୍ଲୀପ ତିର୍କୀ, ପ୍ରବୋଧ ତିର୍କୀ, ଲାଜରୁସ୍ ଲାକ୍ରା, ଜ୍ୟୋତି ସୁନୀତା ଲାକ୍ରା, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଚିତା ପଣ୍ଡା, ଅନୁରାଧା ବିଶ୍ୱାଳଙ୍କ ଭଳି ଅନେକ ଖେଳାଳୀ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ ବୋଲି ଶ୍ରୀ ନନ୍ଦ ଉଲ୍ଲେଖ କରିବା ସହ ଧାବିକା ଦୂତୀ ଚାନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଅନୁପମା ପଣ୍ଡା ଧନ୍ୟବାଦ ଦେଇଥିଲେ ।

By amfnews

Related Post