Mon. Jan 20th, 2025

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଟିମ୍‌ : ପରୀକ୍ଷା ପାଇଁ ଗଲା ଗର୍ଭଗୃହ ବାଲି

By amfnews Aug 4, 2019 #Featured
158 Views

କୋଣାର୍କ : ବିଶ୍ବଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜଣେ ଆମିକସ୍‌ କ୍ୟୁରିଙ୍କୁ ନିଯୁକ୍ତି ଦେଇଛନ୍ତି। ଆମିକସ୍‌ କ୍ୟୁରି ଯେ କୌଣସି ମୁହୂର୍ତରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିପାରନ୍ତି।ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦିଗରେ କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରି ଆସୁଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ହଠାତ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ତତ୍ପରତା ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଛି। ଦୁଇଦିନ ପୂର୍ବରୁ ଏଏସ୍‌ଆଇର ଭୁବନେଶ୍ବର ସର୍କଲର ସୁପରିନଟେଣ୍ଟେଣ୍ଟ୍‌ ନିଜ ସହ ଅଧ ଡଜନରୁ ଅଧିକ ଅଧିକାରୀଙ୍କୁ ନେଇ ମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ପରେ ଆଜି ରାଜ୍ୟ ବାହାରର ବିଶେଷଜ୍ଞମାନେ କୋଣାର୍କରେ ପହଞ୍ଚି ସୂର୍ଯ୍ୟମନ୍ଦିର ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

୨୦୧୦ ମସିହାରୁ ସୂର୍ଯ୍ୟମନ୍ଦିରର ଦୟନୀୟ ଅବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇ ଆସୁଛି। ୨୦୧୦ ମସିହାରେ କୋଣାର୍କ ଯାତ୍ରୀନିବାସ ପରିସରରେ ବିଶ୍ବର ବଛାବଛା ବିଶେଷଜ୍ଞଙ୍କୁ ନେଇ ମନ୍ଦିରର ବାସ୍ତବ ସ୍ଥିତି ସଂପର୍କରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବା ସହିତ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦିଗ ସଂପର୍କରେ ପରୀକ୍ଷାନିରୀକ୍ଷା ଓ ଆଲୋଚନା କରାଯାଇଥିଲା। ପରବର୍ତୀ ସମୟରେ ସେଣ୍ଟ୍ରାଲ ବିଲ୍‌ଡ଼ିଂ ରିସର୍ଚ୍ଚ ପ୍ରତିଷ୍ଠାନ (ସିବିଆରଆଇ )କୁ ମନ୍ଦିରର ସ୍ଥିତି ଅନୁଧ୍ୟାନ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ପରେ ସିବିଆରଆଇ ପକ୍ଷରୁ ମନ୍ଦିରର ଲେଜର ସ୍କାନିଂ କରାଯିବା ସହିତ ମୂଳରୁ ଚୁଳ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ମାତ୍ର ସିବିଆର୍‌ଆଇ ମନ୍ଦିର ସଂପର୍କରେ କଣ ରିପୋର୍ଟ ପ୍ରଦାନ କଲେ ତାହାକୁ ସାର୍ବଜନୀନ କରାନଯାଇ ଚପାଇ ରଖାଗଲା।

ମାତ୍ର ଅସମର୍ଥିତ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମୁଖଶାଳାରେ ଭର୍ତି ହୋଇଥିବା ବାଲି ଦବୁଥିବା ଓ ତାହା ପ୍ରଭାବରେ ମନ୍ଦିରରେ କ୍ରମଶଃ ଫାଟ ସୃଷ୍ଟି ହେଉଥିବାର ସ୍ପଷ୍ଟ ଉଲ୍ଲେଖ ରହିଥିବା ସିବିଆରଆଇ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଗତବର୍ଷ ନଭେମ୍ବର ମାସରୁ ଅଦ୍ୟାବଧି ସମ୍ବାଦରେ ମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ ରିପୋର୍ଟ ପ୍ରକାଶିତ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ସହିତ ଗ୍ରହଣ କରିଛନ୍ତି। ମନ୍ଦିରର ଉଦ୍‌ବେଗଜନକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ପୂର୍ବତନ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କ ସମେତ ପୂର୍ବତନ କାକଟପୁର ବିଧାୟକ, ନିମାପଡ଼ାର ବିଧାୟକ ତଥା ବର୍ତମାନର ଗଣଶିକ୍ଷା ମନ୍ତ୍ରୀ ଓ ପୂର୍ବତନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ଏଏସ୍‌ଆଇର ବରିଷ୍ଠ ଅଧିକାରୀଙ୍କର ମଧ୍ୟ ଏ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏଏସ୍‌ଆଇ ସବୁକଥାକୁ ହାଲୁକା ଭାବେ ନେଇ ଏହାକୁ ଏଡ଼ାଇ ଯାଇଥିଲା। ମାତ୍ର ଗତ ଫନି ବାତ୍ୟା ପରେ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲା ସାଙ୍ଗକୁ ସମ୍ବାଦର କ୍ରମାଗତ ରିପୋର୍ଟ ଏବେ ଏଏସଆଇକୁ ଅକଳରେ ପକାଇଥିବାର ଦେଖିବାକୁ ମିଳିଛି।

ଆଜି ଅତି ଗୋପନୀୟ ଭାବେ ବିଶେଷଜ୍ଞଙ୍କୁ ଆଣି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିବା ଏଏସଆଇ କିନ୍ତୁ ଆଜିର ଅନୁଧ୍ୟାନ ସଂପର୍କରେ କୌଣସି ପ୍ରକାର ସୂଚନା ଦେବାକୁ ରାଜି ହୋଇନାହିଁ। ବରଂ ଏହା ତାଙ୍କର ନିୟମିତ ପ୍ରକ୍ରିୟା ବୋଲି ଦର୍ଶାଇ ଏଏସ୍‌ଆଇର ଅଧିକାରୀମାନେ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ଆଜି ସିବିଆର୍‌ଆଇର ବରିଷ୍ଠ ବିଶେଷଜ୍ଞମାନେ ମନ୍ଦିରର ସ୍ଥିତି ଅନୁଧ୍ୟାନ କରି ଆଶ୍ଚାର୍ଯ୍ୟାନ୍ବିତ ହୋଇଥିବାର ଜଣାପଡ଼ିଛି। ମନ୍ଦିରର ଗର୍ଭଗୃହ ମଧ୍ୟରୁ ଏହି ବିଶେଷଜ୍ଞ ଟିମ୍‌ ରୋବଟିଂ କ୍ୟାମେରା ସାହାଯ୍ୟରେ ଫଟୋ ଉତ୍ତୋଳନ କରିଛନ୍ତି। ଏଥି ସହିତ ଲେଜର ସ୍କାନିଂ ସମୟରେ ମୁଖଶାଳାର ବିଭିନ୍ନ ସ୍ଥାନରେ ହୋଇଥିବା ହୋଲରୁ ଏହି ଟିମ୍‌ ବାଲି ସଂଗ୍ରହ କରି ଲାବୋରେଟୋରିରେ ପରୀକ୍ଷା ପାଇଁ ନେଇଥିବାର ଜଣାପଡ଼ିଛି।

ତତ୍ ସହିତ ପାଟଅଗଣାର ସ୍ଥିତି ଅନୁଧ୍ୟାନ ମଧ୍ୟ ଏହି ଟିମ କରିଛନ୍ତି। ସଂଗୃହୀତ ବାଲି ଲାବୋରେଟୋରି‌େର ପରୀକ୍ଷା ହୋଇ ଆସିବା ପରେ ଗର୍ଭଗୃହରୁ ବାଲି କଢ଼ାଯିବା ଓ ଗର୍ଭଗୃହ ଖୋଲାଯିବା ଉପରେ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ଆମିକସ କ୍ୟୁରିଙ୍କ ଗସ୍ତ ପୂର୍ବରୁ ଏଏସଆଇ କର୍ତୃପକ୍ଷ ସବୁ ଅବହେଳା ଉପରେ ଚାଦର ଢ଼ାଙ୍କି ଲୁଚାଇବାର ପ୍ରଚେଷ୍ଟରେ ରହିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଆଜି ଆସିଥିବା ବିଶେଷଜ୍ଞ ଟିମ ମନ୍ଦିରର ଚୂଡ଼ାକୁ ଯାଇ ପାରିନଥିବାରୁ ଦୁଇ ସପ୍ତାହ ପରେ ପୁଣି ଆସି ଚୂଡ଼ାରୁ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।

By amfnews

Related Post