ନୂଆଦିଲ୍ଲୀ : ମାନବିକ ଅଧିକାର କର୍ମୀ ଏବଂ ମାନବ ଅଧିକାର ରକ୍ଷକ ରଞ୍ଜନ କୁମାର ଦାସଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର କମିସନ୍ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି।
ନିକଟରେ ୩୫ ବର୍ଷିୟ ରଞ୍ଜନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁଆଁ ଗାଁ’ର ସିନିକଟ ନିକଟ ରାସ୍ତା କଡ଼ରେ ହତ୍ୟା କରାଯାଇଥିଲା। କିନ୍ତୁ, ତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବାରେ ବିଳମ୍ବ ଘଟିଛି।
ସୁପ୍ରିମ୍ କୋର୍ଟର ଓକିଲ ଏବଂ ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ଏକ ପିଟିସନ୍ ଫାଇଲ୍ କରିଥିଲେ। ଉକ୍ତ ପିଟିସନ୍ ଆଧାରରେ ଜାତୀୟ ମାନବିକ ଅଧିକାର କମିସନ୍ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।
ମୃତ ରଞ୍ଜନ ଗତ ୮ ବର୍ଷ ତଳୁ ସୂଚନା ଅଧିକାର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଜିଲ୍ଲାର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପାଇବାକୁ ଅନେକ ଆବେଦନ କରିଥିଲେ। ଜିଲ୍ଲାରେ ଚାଲିଥିବା ଅନେକ ବେଆଇନ୍ ଇଟା ଭାଟି ସଂକ୍ରାନ୍ତରେ ତଥ୍ୟ ମାଗିଥିବାରୁ ତାଙ୍କୁ ନିୟମିତ ମୃତ୍ୟୁ ଧମକ ମିଳୁଥିଲା।
ତାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଳମ୍ବ କରାଯାଉଥିବା ବିଷୟ ତ୍ରିପାଠୀ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।