ମୁମ୍ବାଇ, ଅଗଷ୍ଟ ୦୩ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାର ତଦନ୍ତ ଦିନକୁ ଦିନ ଆହୁରି ଗଭୀର ଆଡ଼କୁ ମୁହାଁଉଛି । ସଦ୍ୟତମ ସୂଚନା ଯେ, ତଦନ୍ତ ପାଇଁ ମୁମ୍ବାଇ ପହଂଚିଥିବା ବିହାର ପୋଲିସ ଟିମର ନେତୃତ୍ୱ ନେଇଥିବା ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଶ୍ଚର୍ଯ୍ୟର କଥା ଯେ, ବିହାର ପୋଲିସ ଅଭିଯୋଗ ଆଣିଛି ଯେ, ବିନୟ ତିୱାରିଙ୍କୁ ବଳପୂର୍ବକ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।
ବିହାରର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଟୁଇଟ କରି କହିଛନ୍ତି, ଆଇପିଏସ ଅଧିକାରୀ ବିନୟ ତିୱାରୀ ଆଜି ପୋଲିସ ଟିମର ନେତୃତ୍ୱ କରିବାକୁ ଅଫିସ କାର୍ଯ୍ୟରେ ମୁମ୍ବାଇ ପହଂଚିଥିଲେ । କିନ୍ତୁ ରବିବାର ରାତି ୧୧ଟାରେ ବିଏମସିର ଅଧିାକରୀମାନେ ତାଙ୍କୁ ବଳପୂର୍ବକ କ୍ୱାରେଣ୍ଟାଇନରେ ରଖିଛନ୍ତି । ଅନୁରୋଧ ପରେ ବି ସେମାନେ ଆଇପିଏସ ଅଧିକାରୀଙ୍କୁ ମେସରେ ରହିବାର ବ୍ୟବସ୍ଥା କରି ନଥିଲେ । ତାଙ୍କୁ ଗୋରେଗାଁଓର ଏକ ଅତିଥି ଭବନରେ ରଖିଛନ୍ତି ।
ଏହା ପୂର୍ବରୁ ବିହାର ଡିଜିପି ଶ୍ରୀ ପାଣ୍ଡେ ଏକ ଘରୋଇ ଚ୍ୟାନେଲକୁ କହିଛନ୍ତି ରିୟା ଚକ୍ରବର୍ତ୍ତୀ ତିନି-ଚାରି ଦିନ ହେବ ନିଖୋଜ ଅଛନ୍ତି । ତାଙ୍କର ଫୋନ ମଧ୍ୟ ଲାଗୁନାହିଁ । ଆମେ ଚାହୁଁଛୁ ଯେ, ରିୟା ସାମ୍ନାକୁ ଆସନ୍ତୁ ଓ ତଦନ୍ତରେ ସହଯୋଗ କରନ୍ତୁ ।