ରାଉରକେଲା, ୨୮ା୮ : ରାଉରକେଲା ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ କମରେଡ ସତ୍ୟପ୍ରିୟ ମହାନ୍ତି ଓ ସହସାଧାରଣ ସମ୍ପାଦକ କମରେଡ ଅଜିତ ନାୟକ ଏକ ମିଳିତ ବିବୃତିରେ ଜଣାଇଛନ୍ତି ଯେ, ୨୬ ତାରିଖ ଦିନ ଏସ୍ଏମ୍ଏସ୍-୨ ଶ୍ରମିକ ଚନ୍ଦ୍ରଶେଖର ଦ୍ୱିବେଦୀ ବି ସିଫ୍ଟ ଡ୍ୟୁଟିରୁ ଫେରିବା ବେଳେ ଆର୍ଏସ୍ପି ସଂସ୍କାର ଗେଟ୍ ନିକଟସ୍ଥ ମୁଖ୍ୟରାସ୍ତା ଉପରେ ଥିବା କ୍ରେନ୍ ସହିତ ଧକ୍କା ହୋଇଥିଲେ । ଫଳରେ ବର୍ତ୍ତମାନ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।
ରାସ୍ତା ଉପରେ ଥିବା କ୍ରେନର କୌଣସି ସିଗ୍ନାଲ ମଧ୍ୟ ନଥିଲା । ଗୋଟିଏ ପକ୍ଷରେ ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ଉଦାସୀନତା ଏବଂ ଅଣଦେଖା ଯୋଗୁ କାରଖାନା ଭିତରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ମାତ୍ର ସୁରକ୍ଷା ଉପକରଣ ଉପଯୋଗ ଅଭ୍ୟାସ ନାଁରେ କର୍ମଚାରୀଙ୍କ ଉପରେ ଆର୍ôଥକ ଦଣ୍ଡ ଲଦି ଦିଆଯାଉଛି । ଚନ୍ଦ୍ରଶେଖର ଦ୍ୱିବେଦୀଙ୍କ ଯେଉଁ ଦୁର୍ଘଟଣା ଘଟିଲା ସେଥିପାଇଁ ଆର୍ଏସ୍ପି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ।
ଅବିଳମ୍ବେ ଏହି ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଆର୍ଡବ୍ଲ୍ୟୁୟୁ ପକ୍ଷରୁ ଆର୍ଏସ୍ପି ମ୍ୟାନେଜମେଣ୍ଟ ନିକଟରେ ଦାବି କରାଯାଇଛି ।