Mon. Nov 25th, 2024

ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଅଯୋଧ୍ୟା ଶୁଣାଣି

By amfnews Aug 6, 2019 #Featured
75 Views

ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ରାମ ଜନ୍ମ ଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲା ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଜୁଲାଇ ୩୧ ତାରିଖରେ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିବା ମଧ୍ୟସ୍ଥତା ପ୍ୟାନେଲ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ହେଲେ ସେମାନେ କୌଣସି ନିର୍ଯ୍ୟାସ ବାହାର ନ କରିପାରିବାରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିଛନ୍ତି।

ଆଜି ଠିକ୍‌ ୧୧ଟା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ମାମଲାର ଶୁଣାଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ ଏ ନଜିର ରହିଛନ୍ତି।

ଏହାପୂର୍ବରୁ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ କାଲିଫୁଲ୍ଲାଙ୍କ ନେତୃତ୍ୱରେ ୩ ଜଣିଆ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏଥିରେ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ରହିଥିଲେ। ଏମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ ମାମଲାରେ କୌଣସି ସମାଧାନ ହୋଇ ପାରି ନଥିବା ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ।

By amfnews

Related Post