ରାଉରକେଲା, ୨୧ା୧୨ : ରାଉରକେଲା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସୌରମୟ ଦାସ, ଜିଲ୍ଲା ନିୟୋଜନ ଅଧିକାରୀ, ଡିଜି ଲାକ୍ରା, ନୋଡାଲ ଅଫିସର ଏନ୍ଭି ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ମେଳାରେ କୁର୍ତ୍ତା, ଲାଠିକଟା, ବୀରମିତ୍ରପୁର ଆଦି ୧୭ଟି ବ୍ଲକ୍ରୁ ପ୍ରାୟ ଅଢ଼େଇ ହଜାର ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । ସେହିପରି ୬୦ଟି କମ୍ପାନିର କର୍ମକର୍ତ୍ତା ଯୋଗଦେଇଥିଲେ । ବିଶେଷକରି ମାର୍କେଟିଂ, ବ୍ୟାଙ୍କିଙ୍ଗ୍, ଟେକ୍ସଟାଇଲ୍, ହେଲ୍ଥ ଇନ୍ସ୍ୟୁରାନ୍ସ, ରିଟେଲର୍, ସିକ୍ୟୁରିଟି ଗାର୍ଡ ଭଳି ୪୦ କମ୍ପାନିରେ ସିଧାସଳଖ ଭାବେ ଦକ୍ଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ଅନ୍ୟ ୨୦ଟି ଷ୍ଟଲ୍ରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ସରକାରୀ ଯୋଜନାରେ ତାଲିମପ୍ରାପ୍ତ ପରେ ନିଯୁକ୍ତିର ସୁଯୋଗ ପାଇଁ ବ୍ୟବସ୍ଥା ହୋଇଥିଲା । ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ ମେଳା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।