Sat. Mar 7th, 2026

ସୀମାରେ ଗୁଳି ବିନିମୟ ଜାରି, ୨ ଯବାନ ସହିଦ

218 Views

ଶ୍ରୀନଗର  : ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ବେଳେ ଆଜି ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକ ଲୋକଙ୍କ ମୃତ୍ୟୁ ଘଟିଛି। ତିନି ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। କୁପଓ୍ୱାଡା ଜିଲ୍ଲାର ତନଘର ସେକ୍ଚରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଦୁଇଟି ଘର ମଧ୍ୟ ଏହି ଗୁଳି ବିନିମୟରେ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ କୁପଓ୍ୱାଡା ପୁଲିସ ସୂଚନା ଦେଇଛି। ଏବେ ଭାରତ ପଟୁ ମଧ୍ୟ କଡ଼ା ଜବାବ ଦିଆଯାଉଥିବା ସୂଚନା ରହିଛି। ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ।

ସୂଚନାଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଛି। ଜୁଲାଇରେ ପାକିସ୍ତାନ ୨୯୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାବେଳେ ଅଗଷ୍ଟରେ ୩୦୭, ସେପ୍ଟେମ୍ୱରରେ ୨୯୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଖବର ସରବରାହ ସଂସ୍ଥା ପିଟିଆଇ କହିଛି।

ତେବେ ଚଳିତ ବର୍ଷ ସେପ୍ଟେମ୍ୱର ସୁଦ୍ଧା ପାକିସ୍ତାନ ମୋଟ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଗତମାସ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା।

By amfnews

Related Post