Fri. Jan 10th, 2025

ସୀମାଞ୍ଚଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା

By amfnews Feb 3, 2019 #Featured
137 Views

ବିହାର, ଫେବୃୟାରୀ ୦୩ : ବିହାର ଶହଦାଇ ବୁର୍ଜୁଗ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୀମାଞ୍ଚଳ ଏକ୍ସପ୍ରେସ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏହା ସହିତ ଅନେକ ଆହତ ଓ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ରେଳ ବିଭାଗ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ଗୁରୁତରଙ୍କ ପାଇଁ ଏକ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛି । ସେହିପରି ଆହତଙ୍କ ଚିକିତ୍ସା ଖର୍ଚ୍ଚ ରେଳ ବିଭାଗ ବହନ କରିବ ।

ବିହାରର ଜୋଗବାନୀ ଠାରୁ ଦିଲ୍ଲୀର ଆନନ୍ଦ ବିହାର ଟିର୍ମିନାଲ ଅଭିମୁଖେ ଯାତ୍ରା କରୁଥିବା ସୀମାଞ୍ଚଳ ଏକ୍ସପ୍ରେସ ବୁର୍ଜୁଗ ଠାରେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ୩ଟି ବଗି ସମ୍ପୂର୍ଣ୍ଣ ଟ୍ରାକ୍‌ରୁ ବାହାରି ଓଲଟି ପଡ଼ିଛି । ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି । ବଗି ନଂ ଏସ୍‌-୮, ଏସ୍‌-୯ ଓ ଏସ୍‌-୧୦ ଓଲଟି ପଡ଼ିଛି । ରେଳ ଧାରଣାରେ ଫାଟ ଯୋଗୁଁ ଏଭଳି ଘଟିଥିବା ରେଳ ଅଧିକାରୀ କହିଛନ୍ତି । ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହିତ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଳ ଦୁର୍ଘଟଣା ପାଇଁ ସେହି ଟ୍ରାକ୍‌ରେ ଯାଉଥିବା ସମସ୍ତ ଟ୍ରେନ୍‌ର ଗତିପଥ ବଦଳାଯାଇଛି । ପାଟନା-ମୌକମା-ବରୌନୀ ଜଙ୍କସନ୍‌କୁ ଗତିପଥ ବଦଳା ଯାଇଥିବାବେଳେ ଉତ୍ତର ପ୍ରଦେଶ ଛପରା ଯାଉଥିବା ଟ୍ରେନ୍‌କୁ ମୁଜାଫୁର-ଛପରା ଟ୍ରାକ୍‌ରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ମନ୍ତ୍ରାଳୟ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି । ସୋନପୁର- ୦୬୧୫୮୨୨୧୬୪୫, ହାଜୀପୁର-୦୬୨୨୪୨୭୨୨୩୦, ବରୌନୀ-୦୬୨୭୯୨୩୨୨୨ ନମ୍ବରରେ ସଂପର୍କ କରିହେବ । ସେହିପରି ପାଟନାରେ ୦୬୧୨୨୨୦୨୨୯୦, ୦୬୧୨୨୨୦୨୨୯୧, ୦୬୧୨୨୨୦୨୨୯୨ ଓ ୦୬୧୨୨୨୧୩୨୩୪ ନମ୍ବରରେ ଯୋଗାଯୋଗ କରିପାରିବେ ।

By amfnews

Related Post