Tue. Mar 4th, 2025

ସିବିଆଇ, ଇଡ଼ିକୁ ୧୦୦ ବଡ଼ ବ୍ୟାଙ୍କ ଠକେଇ ହସ୍ତାନ୍ତର

By amfnews Oct 17, 2018 #Featured
147 Views

 ନୂଆଦିଲ୍ଲୀ: ଦେଶର ୧୦୦ଟି ବଡ଼ ବ୍ୟାଙ୍କ ଠକେଇକୁ କେନ୍ଦ୍ରୀୟ ଭିଜିଲାନ୍ସ କମିସନର (ସିଭିସି) ବିଶ୍ଳେଷଣ କରିବା ପରେ ସେଗୁଡ଼ିକୁ ବିଭିନ୍ନ ତଦନ୍ତକାରୀ ଓ ନିୟାମକ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ସିଭିସି ପକ୍ଷରୁ ଯେଉଁସବୁ ତଦନ୍ତକାରୀ ଓ ନିୟାମକ ସଂସ୍ଥାକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି ସେମାନଙ୍କ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଦି ରହିଛନ୍ତି ।

ଭିଜିଲାନ୍ସ କମିିସନର ଟି ଏମ ଭାସିନ ଏହି ସୂଚନା ଦେଇଛନ୍ତି। ଏସବୁ ଠକେଇ କେଉଁ ଉପାୟରେ ହୋଇଛି, ଠକେଇ ରାଶି କେତେ, ଋଣର ପ୍ରକାର କ’ଣ ( ଗୋଟିଏ ବ୍ୟାଙ୍କ କିମ୍ବା ଏକାଧିକ ବ୍ୟାଙ୍କ), କି ପ୍ରକାର ତ୍ରୁଟି ରହିଥିଲା, ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆଉ କ’ଣ କରାଯାଇ ପାରିବ ଆଦିକୁ ବିଶ୍ଳେଷଣ କରାଯାଇଛି। ମୋଟ ୧୩ଟି କ୍ଷେତ୍ରର ଠକେଇକୁ ବିଶ୍ଳେଷଣ କରାଯିବା ସହିତ ସେଗୁଡ଼ିକର ବର୍ଗୀକରଣ କରାଯାଇଛି। ଗହଣା ବ୍ୟବସାୟ, ମ୍ୟାନୁଫାକ୍‌ଚରିଂ, ଶିଳ୍ପ, କୃଷି, ଗଣମାଧ୍ୟମ, ବିମାନସେବା, ସେବା ଏବଂ ପ୍ରକଳ୍ପ, ଚେକ୍ ଜାଲିଆତି, ସୂଚନା ପ୍ରଯୁକ୍ତି, ରପ୍ତାନି, ମିଆଦି ଜମା, ଋଣ ଏବଂ ‌ଏଲଓସି (ଲେଟର ଅଫ କମ୍ଫର୍ଟ) ଭଳି କ୍ଷେତ୍ରକୁ ଏଥିରେ ନିଆଯାଇଛି। ବିଶେଷକରି ଏହି ଠକେଇ କିଭଳି ହୋଇଛି ତାହାକୁ ବିଶେଷଭାବେ ବିଶ୍ଳେଷଣ ଓ ଅନୁଧ୍ୟାନ କରାଯାଇଛି।

ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଚିହ୍ନଟ କରାଯାଇଛି ବୋଲି ଭାସିନ କହିଛନ୍ତି। ଅନୁଧ୍ୟାନବେଳେ ମିଳିଥିବା ତଥ୍ୟକୁ ଆଧାର କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଶିଳ୍ପଭିତ୍ତିକ ପରାମର୍ଶ ପ୍ରଦାନ କରାଯାଇଛି। ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ ଆର୍ଥିକ ସେବା ବ୍ୟାପାର ବିଭାଗ, କମ୍ପାନି ବ୍ୟାପାର ବିଭାଗ ଓ ରିଜର୍ଭ ବ୍ୟାଙ୍କକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ଅନୁଧ୍ୟାନ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ଏସଓପି( ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ)କୁ ସୁଦୃଢ଼ କରିବା ପାଇଁ କୁହାଯାଇଛି। ୨୦୧୭ ମାର୍ଚ୍ଚ ୩୧ଠାରୁ ହୋଇଥିବା ବଡ଼ ବ୍ୟାଙ୍କ ଜାଲିଆତିକୁ ଏଥିରେ ହିସାବକୁ ନିଆଯାଇଛି।

By amfnews

Related Post