Wed. Apr 23rd, 2025

ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ : ଜେଲ୍‌ ଗଲେ ୩ ଅଭିଯୁକ୍ତ

By amfnews Jan 29, 2019 #Featured
327 Views

ଭୁବନେଶ୍ୱର, ଜାନୁଆରୀ ୨୯  : ସିନେମା ହଲ୍‌ ଭିତରେ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଅଭିଯୋଗରେ ଗିରଫ ୩ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ଜାମିନ ଆବେଦନ ବିଚାରାଧୀନ ଥିବାରୁ ସେମାନଙ୍କୁ ଦିନକ ପାଇଁ ଝାରପଡ଼ା ଜେଲ୍‌ର ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବା ଦର୍ଶାଯାଇଥିବାରୁ ସେମାନଙ୍କର ମେଡିକାଲ ରିପୋର୍ଟ ତଲବ କରାଯାଇଛି। ମେଡିକାଲ ରିପୋର୍ଟକୁ ଆଧାର କରି ଦିନକ ପରେ ଜାମିନ ଆବେଦନର ଶୁଣାଣି ହେବ। ଆଜି କୋର୍ଟ ଚାଲାଣ ବେଳେ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅଭିଯୁକ୍ତଙ୍କ ସମର୍ଥକମାନେ ମଧ୍ୟ ପହଞ୍ଚିଥି‌ଲେ। କୋର୍ଟ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ ଯେ, ଦୈନିକ ‘ପ୍ରମେୟ’ର ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଶନିବାର ମହାରାଜ ସିନେମା ହଲ୍‌ରେ ସିନେମା ଦେଖୁଥିବା ବେଳେ ଏହି ଅଭିଯୁକ୍ତମାନେ ପାଟିତୁଣ୍ଡ, ହୋ-ହଲ୍ଲା କରିବା ସହ ମହିଳାଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରୁଥିଲେ। ଦୀର୍ଘ ସମୟ ଧରି ଏପରି ଚାଲିବାରୁ କପିଳେନ୍ଦ୍ର ଏହାର ପ୍ରତିବାଦ କରିବା ସହ ସେମାନଙ୍କୁ ଏପରି ନ କରିବାକୁ ତାଗିଦ୍‌ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ କପିଳେନ୍ଦ୍ରଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ସାମ୍ବାଦିକ ବୋଲି ପରିଚୟ ଦେବାରୁ ସେମାନେ ଅଧିକ ଆକ୍ରମଣାତ୍ମକ ହେବା ସହ ତାଙ୍କ ପରିଚୟପତ୍ର ଓ ସେ ପିନ୍ଧିଥିବା ଏକ ସୁନା ଚେନ୍‌ ଲୁଟି ନେଇଥିଲେ ବୋଲି କପିଳେନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୁକ୍ତଙ୍କ ପଛରେ ଛାତ୍ରଙ୍କ ସମର୍ଥନ ରହିଥିଲା। ଶହେରୁ ଊର୍ଦ୍ଧ୍ବ ଛାତ୍ର ଏହି ଅଭିଯୁକ୍ତଙ୍କ ସମର୍ଥନରେ ଡିସିପିଙ୍କୁ ଭେଟିଥିବା ବେଳେ ସତ୍ୟ ପ୍ରକାଶ ନାୟକଙ୍କ ନେତୃତ୍ବରେ ସାମ୍ବାଦିକମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସର ନିଷ୍କ୍ରିୟତା ଓ ଅପରାଧ ପଛରେ ଶାସକଦଳର ହାତ ଥିବା ଅଭିଯୋଗ କରିଥିଲେ। ରବିବାର ସନ୍ଧ୍ୟାରେ ୫୦ରୁ ଊର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଡିଜିଙ୍କୁ ଭେଟିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

By amfnews

Related Post