ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ହେତୁ ଉତ୍ତର ପ୍ରଦେଶରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଉତ୍ତର ପ୍ରଦେଶର ଫିରୋଜାବାଦରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସା ପ୍ରଦର୍ଶନ ଚାଲିଥିବା ସମୟରେ ଡିୟୁଟିରେ ଥିବା ଜଣେ ପୁଲିସକର୍ମଚାରୀଙ୍କ ଛାତିରେ ବିକ୍ଷୋଭକାରୀଙ୍କ ଗୁଳି ଆସି ବାଜିଥିଲା।
ତେବେ ଏହି ଗୁଳି ପୁଲିସକର୍ମଚାରୀଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟ ଫୁଟାଇ ଭିତରକୁ ଚାଲି ଯାଇଥିଲା ସିନା କିନ୍ତୁ ଗୁଳିଟି ପୁଲିସ କର୍ମଚାରୀଙ୍କ ସାର୍ଟ ପକେଟ୍ରେ ଥିବା ମନିପର୍ସରେ ଯାଇ ଫସି ରହିଥିଲା। ଯାହାଫଳରେ ପୁଲିସକର୍ମଚାରୀଙ୍କ ଜୀବନ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛି।
ଫିରୋଜାବାଦର କନେଷ୍ଟବଳ ବିଜେନ୍ଦ୍ର କୁମାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ସମୟରେ ଡିୟୁଟିରେ ନିୟୋଜିତ ଥିଲେ। ଏହି ସମୟରେ ବିକ୍ଷୋଭକାରୀଙ୍କ ପକ୍ଷରୁ ଗୁଳିଚଳନା ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀଙ୍କ ଗୋଟିଏ ଗୁଳି ବିଜେନ୍ଦ୍ରଙ୍କ ଛାତିରେ ଆସି ବାଜିଥିଲା।
ତେବେ ଏହି ଗୁଳିର ବେଗ ଏତେ ତୀବ୍ର ଥିଲା କି ବିଜେନ୍ଦ୍ର ନିଜ ସୁରକ୍ଷା ପାଇଁ ପିନ୍ଧିଥିବା ବୁଲେଟପ୍ରୁଫ୍ ଜ୍ୟାକେଟ ଫୁଟାଇ ସାର୍ଟ ବି ଫୁଟାଇ ଦେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଗୁଳିଟି ବିଜେନ୍ଦ୍ରଙ୍କ ସାର୍ଟ ପକେଟରେ ଥିବା ମନିପର୍ସରେ ଯାଇ ଫସି ଯାଇଥିଲା। ଫଳରେ ତାଙ୍କୁ ଆଘତ ଲାଗି ନଥିଲା। ଏହାକୁ ବିଜେନ୍ଦ୍ର ତାଙ୍କର ପୁନର୍ଜନ୍ମ ହୋଇଛି ବୋଲି କହିଛନ୍ତି।
ରାଜ୍ୟର ପୁଲିସ ଆଇଜି (ଆଇନ ଶୃଙ୍ଖଳା) ପ୍ରବୀଣ କୁମାର କହିଛନ୍ତି ଯେ ଡିସେମ୍ବର ୧୦ରୁ ଶନିବାର ସୁଦ୍ଧା ଏହି ହିଂସାରେ ମୋଟ ୧୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହା ସହିତ ପ୍ରାୟ ୨୬୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ଓ ଏମାନଙ୍କ ମଧ୍ୟରୁ ୫୭ ଜଣଙ୍କୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ ସୂତ୍ରରୁ ପ୍ରକାଶ।