Sun. Jun 8th, 2025

ସାବରିମାଲା ବିବାଦ: ବିଜେପି ନେତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗ ହାଜତ ପଠାଗଲା

By amfnews Nov 18, 2018 #Featured
234 Views

ପାମ୍ବା, ନଭେମ୍ବର ୧୮: ଜାମିନବିହୀନ ଅପରାଧ ରୁଜୁ କରାଯିବା ପରେ କେରଳ ବିଜେପିର ସାଧାରଣ ସଚିବ କେ ସୁରେନ୍ଦ୍ରନ୍‌ଙ୍କୁ ରବିବାର ଦିନ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଯାଇ ୧୪ ଦିନ ସକାଶ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି। ଭଗବାନ ଆୟପ୍ପାଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିବା କାରଣରୁ ଗତକାଲି ପ୍ରତିଷେଧାତ୍ମକ ହାଜତକୁ ନିଆଯାଇଥିଲା।

ଭଗବାନ ଆୟପ୍ପାଙ୍କୁ ଅର୍ପଣ କରିବାକୁ ‘ଇରୁମୁଦିକେଟ୍ଟୁ’ ବିଡ଼ା ଧରି ସାବରିମାଲା ମନ୍ଦିର ଅଭିମୁଖେ ଯାଉଥିବା ସୁରେନ୍ଦ୍ରନ୍‌ଙ୍କୁ ଶନିବାର ରାତିରେ ନୀଲକ୍ଲାଲରୁ ହାଜତକୁ ନିଆଯାଇଥିଲା।

ସାବରିମାଲାକୁ ନ ଯିବା ପାଇଁ ସୁରେନ୍ଦ୍ରନ୍‌ଙ୍କୁ ଏସ୍‌ପି ଯତିଶ ଚନ୍ଦ୍ର କହିଲେ ମଧ୍ୟ ସେ ବେଖାତିର କରିଥିଲେ। ତେଣୁ ତାଙ୍କୁ ପ୍ରତିଷେଧାତ୍ମକ ହାଜତକୁ ନିଆଯାଇ ଶନିବାର ରାତିରେ ଚିତ୍ତର ଥାନାକୁ ଅଣାଯାଇଥିଲା।

ଆଜି ପ୍ରତ୍ୟୁଷରେ ତାଙ୍କୁ ପତନମତିଟ୍ଟ ଜିଲ୍ଲା ହସ୍‌ପିଟାଲ୍‌କୁ ନିଆଯିବା ପରେ ପତନମତିଟ୍ଟର ଜୁଡିସିଆଲ୍‌ ଫାଷ୍ଟ୍‍ କ୍ଲାସ୍‌ ମାଜିଷ୍ଟ୍ରେଟ୍‌ଙ୍କ ବାସଭବନକୁ ନିଆଯାଇଥିଲା।ମାଜିଷ୍ଟ୍ରେଟ୍‌ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ରିମାଣ୍ଡ୍‌ କରିଛନ୍ତି।

ତାଙ୍କ ଗିରଫଦାରି ପ୍ରତିବାଦରେ ବିଜେପି ରାଜ୍ୟ କମିଟି ରାଜ୍ୟବ୍ୟାପୀ ଥିବା ରାଜପଥ ସବୁର ୧୦୦ଟି ସ୍ଥାନରେ ରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ।୧ ଘଣ୍ଟା ପାଇଁ ପ୍ରସ୍ତାବିତ ଏହି ଅବରୋଧ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିଲା।

By amfnews

Related Post