Sun. Mar 8th, 2026

ସାବରିମାଲା ବିବାଦ: କେରଳରେ ବାମପନ୍ଥୀ ନେତାଙ୍କ ଘରେ ବୋମା ମାଡ଼; ୭ ଆହତ

253 Views

ତିରୁବନନ୍ତପୁରମ, ଜାନୁଆରୀ ୦୫ : ତଲସେରି ବିଧାୟକ ଏବଂ ସିପିଆଇ (ଏମ୍‌) ନେତା ଏଏନ୍‌ ଶମ୍‌ସୀରଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ବୋମା ଫିଙ୍ଗା ଯିବାରୁ ଶୁକ୍ରବାର ରାତିରେ ସମଗ୍ର କେରଳରେ ହିଂସାକାଣ୍ଡ ଉପୁଜିଛି।

ବାଇକ୍‌ ଆରୋହୀ ଅଜ୍ଞାତ ଲୋକମାନେ ରାତି ପ୍ରାୟ ୧୦:୧୫ରେ ଉତ୍ତର କେରଳର କନ୍ନୁର ଜିଲ୍ଲା ଅନ୍ତର୍ଗତ ତଳସେରି ନିକଟସ୍ଥ ମଡ଼ପୀଡ଼ିକେଇଲ୍‌ସ୍ଥିତ ଶମ୍‌ସୀରଙ୍କ ଘର ଉପରକୁ ବୋମା ଫିଙ୍ଗିଥିଲେ।

ଶମସୀର ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟର ହିଂସା ଉଦ୍ରେକ କରାଇବାକୁ ଏଇଟା ହେଉଛି ଆର୍‌ଏସ୍‌ଏସ୍‌ର ଷଡ଼ଯନ୍ତ୍ର। ସେମାନେ ହିଂସା ସୃଷ୍ଟି କରି ରାଜ୍ୟର ଶାନ୍ତପୂର୍ଣ୍ଣ ବାତାବରଣ ନଷ୍ଟ କରିବାକୁ ଚାହୁଁଛନ୍ତି।

ସାବରିମାଲା ମନ୍ଦିରରେ ମହିଳାମାନେ ପ୍ରବେଶ କରିବାରୁ ଦକ୍ଷିଣପନ୍ଥୀ ଦଳର ହରତାଳ ଘୋଷଣା ଯୋଗୁଁ ରାଜ୍ୟରେ ହିଂସାକାଣ୍ଡ ବ୍ୟାପକ ହେବାରୁ ବାମପନ୍ଥୀ ନେତା ତଲାସେରି ଠାରେ ଆୟୋଜିତ ଏକ ଶାନ୍ତିସଭାରେ ଯୋଗ ଦେଇଥିବା ବେଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା।

ସିପିଆଇ (ଏମ୍‌) ନେତା ଏବଂ କନ୍ନୁର ଜିଲ୍ଲା ସପିଆଇ (ଏମ୍‌)ର ପୂର୍ବତନ ସଚିବଙ୍କ ପି ଶଶିଙ୍କ ତଲସେରି ଘରେ ଏବଂ ସିପିଆଇ (ଏମ୍‌) କର୍ମୀ ବିଶାକଙ୍କୁ କନ୍ନୁର ଜିଲ୍ଲା ଅନ୍ତର୍ଗତ ଇରିଟ୍ଟି ଠାରେ ଆକ୍ରମଣ କରାଯାଇଛି।

ହିଂସା ଆଶଙ୍କାରେ ପତନମ୍‌ତିତ୍ତ ଜିଲ୍ଲା ଅନ୍ତର୍ଗତ ପାଣ୍ଡଲମ୍‌, ଅଡୁର ଏବଂ କୋଡୁମୋନ ଥାନା ଅଞ୍ଚଳରେ ସାତ ଦିନ ସକାଶ ନିଷିଦ୍ଧାଦେଶ ଜାରି କରାଯାଇଛି।

ଶୁକ୍ରବାର ଦିନ ଅଡୁରସ୍ଥିତ ଜଣେ ସ୍ଥାନୀୟ ସିବିଆଇ (ଏମ୍‌) ନେତାଙ୍କ ଘର ଏବଂ ଦୁଇଟି ଦୋକାନ ଉପରେ ବୋମା ମାଡ଼ ହୋଇଛି।
ଏହି ସବୁ ଘଟନାରେ ସାତଜଣ ଆହତ ହୋଇଥିବା ଖବର ମିଳିଛି।

By amfnews

Related Post