Sun. Mar 8th, 2026

ସାଇକେଲ୍‌ରେ ଶିବରାଜ୍‌ଙ୍କ ଭାରତ ଯାତ୍ରା: ୬,୫୦୦ କିମି ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଲେ

294 Views

ବାରିପଦା: ସବୁଜ ଏବଂ କ୍ଷୁଧାମୁକ୍ତ ସମାଜ ଗଠନ ଦିଗରେ ୨୨ ବର୍ଷୀୟ ଯୁବକଙ୍କ ସାଇକେଲ୍‌ରେ ଭାରତ ଭ୍ରମଣ। ୧୧୫ ଦିନରେ ସାଇକେଲ୍‌ରେ ସମ୍ପୂର୍ଣ୍ଣ ଭାରତ ଭ୍ରମଣ କରିବାର ଲକ୍ଷ୍ୟ ରଖିଥିବା ଯୁବକ ହେଉଛନ୍ତି ଶିବରାଜ ବାଲାସାହେବ ରମନ୍‌। ବମ୍ବେସ୍ଥିତ ଡମ୍ବିଭ୍ଲି ଅଂଚଳର ନିବାସୀ ସୁଜାତା ଏବଂ ବାଲା‌ସାହେବ ରମନ୍‌ଙ୍କ ପୁତ୍ର ଶିବରାଜ ପୁନେସ୍ଥିତ ଏନ୍‌ଆଇଟିରେ ସିଭିଲ୍ ଇଂଜିନିୟରିଂରେ ଡିଗ୍ରୀ କରୁଛନ୍ତି। ତେବେ ଦେଶ ଯେତେ ପ୍ରଗତୀ କଲେ ମଧ୍ୟ ସମାଜରେ ଅଦ୍ୟାବଧି ରହିଥିବା କ୍ଷୁଧା ଶିବରାଜ୍‌ଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେହିପରି ସମାଜରେ ବଢ଼ିଚାଲିଥିବା କଂକ୍ରିଟ୍‌ ଜଙ୍ଗଲ ତାଙ୍କୁ ବ୍ୟଥିତ କରିଥିଲା। ଏମିତି ଏକ ଦିନ ଆସିବ ଯେଉଁଦିନ ନିଶ୍ବାସ ନେବା ପାଇଁ ମଧ୍ୟ ଅମ୍ଳାଜାନର ଘୋର୍ ଅଭାବ ଦେଖାଯିବ। ତେଣୁ ସବୁଜ ସମାଜ ସୃଷ୍ଟି ସମସ୍ତଙ୍କର ପ୍ରାଥମିକତା ହେବା ଆବଶ୍ୟକ ବୋଲି ଶିବରାଜ୍‌ ମତ ଦିଅନ୍ତି। ଏହାକୁ ବିଚାର କରି ସମ୍ପୂର୍ଣ୍ଣ ଦେଶରେ ଏକ ସଚେତନତାର ବାର୍ତ୍ତା ଦେବାକୁ ସେ ସାଇକେଲ୍‌ରେ ଭାରତ ଭ୍ରମଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ଏନେଇ ଶିବରାଜ୍‌ ୧୫ ଡିସେମ୍ବର, ୨୦୧୮ରୁ ନିଜ ବାସସ୍ଥାନରୁ ସାଇକେଲ୍‌ ଯାତ୍ରା ଆରମ୍ଭ କରିଥିଲେ। ଅଦ୍ୟାବଧି ସେ ଗୁଜୁରାଟ, ରାଜସ୍ତାନ, ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ,ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ୧୧ଟି ରାଜ୍ୟ ଅତିକ୍ରମ କରିସାରି ଆଜି ସନ୍ଧ୍ୟାରେ ବାରିପଦାରେ ପହଞ୍ଚିଛନ୍ତି। ଏଯାବତ୍ ଶିବରାଜ୍‌ ୫୫ ଦିନରେ ୬,୫୦୦ କିମି ସାଇକେଲ୍‌ରେ ଯାତ୍ରା କରିସାରିଲେଣି। ଦିନକୁ ସେ ୧୫୦ କିମି ସାଇକେଲ୍‌ ଚଲାଇଥାଆନ୍ତି। ବିଭିନ୍ନ ସ୍ଥାନରେ ରହିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ସହଯୋଗ କରିବା ସହିତ ଉତ୍ସାହିତ କରିଥାଆନ୍ତି ବୋଲି ଶିବରାଜ୍‌ ପ୍ରକାଶ କରିଛନ୍ତି।

By amfnews

Related Post