Sat. Mar 7th, 2026

ସହିଦ୍‌ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ୍‌ ଜାରି କରିବାକୁ ଯାଉଛନ୍ତି ନିର୍ବାଚନ କମିସନ

300 Views

ଭୋପାଳ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ମୁମ୍ବାଇ ଆକ୍ରମଣରେ ସହିଦ୍‌ ହୋଇଥିବା ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଛନ୍ତି । ତେବେ ତାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶର ନିର୍ବାଚନ କମିସନଙ୍କ ଆଗରେ ଏ ନେଇ ଅଭିଯୋଗ କରାଯାଇଥିଲା । ନିଜର ବୟାନ ପାଇଁ ଗତକାଲି ସାଧ୍ୱୀ ପ୍ରଜ୍ଞା ସର୍ବସମ୍ମୁଖରେ କ୍ଷମା ମାଗି ସାରିଥିଲେ ମଧ୍ୟ ଏବେ ମଧ୍ୟପ୍ରଦେଶର ନିର୍ବାଚନ କମିସନ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ୍‌ ଜାରି କରିବାକୁ ଯାଉଥିବା ଜଣା ପଡ଼ିଛି ।

ଜିଲ୍ଲା ନିର୍ବାଚନ ଅଫିସରଙ୍କ କହିବା ଅନୁଯାୟୀ, ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ମୁମ୍ବାଇ ଆକ୍ରମଣରେ ସହିଦ୍‌ ହୋଇଥିବା ହେମନ୍ତ କରକରେଙ୍କୁ ନେଇ ଯେଉଁ ବିବାଦୀୟ ବୟାନ ଦେଇଥିଲେ ସେ ବିଷୟରେ ଜଣା ପଡ଼ିବା ପରେ ଆମେ ପ୍ରଥମେ ତାହାର ସବିଶେଷ ରିପୋର୍ଟ ମାଗିଥିଲୁ । ଆଜି ସକାଳେ ଆମକୁ ରିପୋର୍ଟ ମିଳିବା ପରେ ଆମେ ସାଧ୍ୱୀ ପ୍ରଜ୍ଞାଙ୍କୁ ଏନେଇ ନୋଟିସ୍‌ ପଠାଇବାକୁ ଯାଉଛୁ । ଯାହାର ଜବାବ ୨୪ଘଣ୍ଟା ମଧ୍ୟରେ ହିଁ ଆମକୁ ମିଳିଯିବ ବୋଲି କହିଛନ୍ତି ।

ସୂଚନା ମୁତାବକ, ମୁମ୍ବାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଜମ୍‌ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସାଧ୍ୱୀ ପ୍ରଜ୍ଞା କହିବା ସହ ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ସାଧ୍ୱୀଙ୍କର ଏପରି ବୟାନ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଥିଲା।

ସାଧ୍ୱୀ ବୟାନ ଦେଇ କହିଥିଲେ କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଜମ୍‌ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍‌ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’

By amfnews

Related Post