Wed. Mar 11th, 2026

ସହର ସାରା ଚଢ଼ାଉ, ଲକ୍ଷାଧିକ ଟଙ୍କାର ପଲିଥିନ୍‌ ଜବତ

202 Views

କୋରାପୁଟ  : ପୁରା ଆକ୍ସନ ମୋଡ୍‌ରେ କୋରାପୁଟ ପୌରପାଳିକା। ପଲିଥିନ୍‌ ମୁକ୍ତ କୋରାପୁଟ ଗଠନ ପାଇଁ ପାଖାପାଖି ମାସେ ହେଲା ଚାଲିଛି ଚଢ଼ାଉ। ଏ ଭିତରେ ସହରରେ ପଲିଥିନ୍‌ ବ୍ୟବହାର କମି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନି। କିଛି ଅସାଧୁ ବ୍ୟବସାୟୀ ଏବେ ବି ପଲିଥିନ୍‌ରେ ସାମଗ୍ରୀ ବିକୁଛନ୍ତି। ତେଣୁ ଆଜି ବିଭିନ୍ନ ଗୋଦାମ ଓ ଦୋକାନରେ ଏକ ସ୍ବତନ୍ତ୍ର ଟିମ୍‌ ଚଢାଉ କରିଛି। ଲକ୍ଷାଧିକ ଟଙ୍କାର ପଲିଥିନ୍‌ ଜବତ କରାଯାଇଥିଲା ବେଳେ ଦୋକାନିଙ୍କ ପାଖରୁ ୩୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। କୋରାପୁଟ ସହରର ହାଟପଦା, ମେନ୍‌ ରୋଡର କିଛି ଗୋଦାମରେ ପଲିଥିନ୍‌ ରହିଥିଲା। ହାତଗଣତି କିଛି ଦୋକାନି ମଧ୍ୟ ଦୋକାନରେ ପଲିଥିନ୍‌ ରଖି ସାମଗ୍ରୀ ବିକୁଥିଲେ।

ପଲିଥିନ୍‌ ବ୍ୟବହାର ଉପରେ ରୋକ ଲଗାଇବା ପ‌ାଇଁ ଆଜି ସକାଳୁ ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ପଲିଥିନ୍‌ ଜବତ କରାଯାଇଛି। ପଲିଥିନ୍‌ ବ୍ୟାଗ, ପ୍ଲେଟ୍‌, ଗ୍ଲାସ, ପ୍ଲେଟ୍‌ରେ ପକା ଯାଉଥିବା ଜରି, କପ୍‌ ଆଦି ଜବତ ହୋଇଥିଲା। ଖାଲି ଏତିକି ନୁହେଁ, ପଲିଥିନ୍‌ ରଖିଥିବା ଦୋକାନିଙ୍କ ଠାରୁ ୩୪ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଛି। ପୌରପାଳିକାର ଏଭଳି ଚଢାଉ ପରେ ଦୋକାନିଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି।

ଅପରପଟେ ଏଭଳି ଚଢାଉ ପରେ ସହରରେ ପଲିଥିନ୍‌ ବ୍ୟବହାର ବହୁଳ ମାତ୍ରାରେ କମି ଯାଇଛି। ଅଧିକାଂଶ ଦୋକାନି ପଲିଥିନ ରଖୁ ନଥିବା ବେଳେ କାଗଜ ତିଆରି ବ୍ୟାଗ୍‌ ବ୍ୟବହାର କରୁଛନ୍ତି। ଏଥିନେଇ କୋରାପୁଟ ପୌରପାଳିକାର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, ଆଜି ଲକ୍ଷାଧିକ ଟଙ୍କାର ପଲିଥିନ୍‌ ଜବତ କରାଯାଇ ଏସବୁକୁ ନଷ୍ଟ କରି ଦିଆଯାଇଛି। ସହରରେ ପଲିଥିନ୍‌ ବ୍ୟବହାର କମି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବା ପର୍ଯ୍ୟନ୍ତ ଏଭଳି ଚଢାଉ ଜାରି ରହିବ। ଏଥିରେ ଦୋକାନି ଓ ସ‌ାଧାରଣ ଲୋକେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

By amfnews

Related Post