Sun. Mar 8th, 2026

ସହରର ଭିକାରୀ, ବେସାହାରା ଓ ବାସହରାଙ୍କୁ ମିଳିବ ମାଗଣା ରନ୍ଧା ଖାଦ୍ୟ

179 Views

ଭୁବନେଶ୍ୱର : ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରହୁଥିବା ଭିକାରୀ, ବେସାହାରା, ବାସହରା ଓ ଖାଦ୍ୟ ପାଉନଥିବା ଲୋକଙ୍କୁ ଦୁଇଓଳି ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଏହି ରନ୍ଧା ଖାଦ୍ୟ ପାଇଁ ଖର୍ଚ୍ଚ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ‘କୋଭିଡ-୧୯’ ଯୋଗୁ ସମଗ୍ର ରାଜ୍ୟବ୍ୟାପୀ ଲକଡାଉନ୍ ଓ ସାମାଜିକ ଦୂରତ୍ୱ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଏହି କାରଣରୁ ସହରାଞ୍ଚଳର ବାସହରା ଲୋକମାନେ ଖାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେହି ଲୋକମାନଙ୍କର ସମସ୍ୟାର ସମାଧାନ କରିବା ହେଉଛି ସରକାରଙ୍କ ଦାୟିତ୍ୱ। ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳଗୁଡ଼ିକରେ ରହୁଥିବା ବାସହରା, ବେସାହାରା, ଭିକାରୀମାନଙ୍କୁ ଉଭୟ ଦିନ ଓ ରାତି ଦୁଇବେଳା ମାଗଣା ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ ଓ ପ୍ୟାକେଟ୍ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନଙ୍କୁ ମଧ୍ୟ ମାଗଣା ଖାଦ୍ୟ ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ତେଣୁ ନିଜ ଜିଲ୍ଲାରେ ଥିବା ବିଭିନ୍ନ ମହାନଗର ନିଗମ, ମ୍ୟୁନିସପାଲଟି ଓ ଏନଏସିରେ ରହୁଥିବା ବାସହରାଙ୍କ ପାଇଁ ମାଗଣା ଦୁଇଓଳି ଖାଦ୍ୟ ଯୋଗାଣର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲାପାଳମାନେ ଏବେ ରେଡକ୍ରସ୍ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ଲକଡାଉନ୍ ଯୋଗୁ ଭିକାରୀ, ବେସାହାରା ଓ ନିଷ୍ପେଷିତ ଲୋକମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି। ଦୁଇଓଳି ଖାଦ୍ୟ ସେମାନଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା ପାଲଟିଛି।

By amfnews

Related Post