Mon. Jan 27th, 2025

ସର୍ଭେ: ମଧ୍ୟପ୍ରଦେଶରେ ଶିବରାଜ ନିର୍ବାଚନ ଜିତି ପୁଣି ହେବେ ମୁଖ୍ୟମନ୍ତ୍ରୀ, ମଉଲିବ କଂଗ୍ରେସର ଆଶା

By amfnews Oct 12, 2018 #Featured
267 Views

ଭୋପାଳ, ଅକ୍ଟୋବର ୧୨ : ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୨୮ରେ ନିର୍ବାଚନ ହେବ। ରାଜ୍ୟକୁ ଦୀର୍ଘ ୧୫ ବର୍ଷ ହେବ ଶାସନ କରୁଥିବା ଶିବରାଜ ସିଂହ ଚୌହାଣଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ନିର୍ବାଚନ ଜିତିପାରେ ବୋଲି ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ନିର୍ବାଚନ ତାରିଖ ୨ ମାସରୁ କମ୍‌ ଦିନ ଥିବା ବେଳେ ରାଜ୍ୟର ଜନତାଙ୍କ ଜନାଦେଶ ଉପରେ ଆଗାମୀ ସରକାର ନିର୍ଭର କରିବ। ମାତ୍ର ନିର୍ବାଚନ ଭବିଷ୍ୟତବାଣୀରୁ ଯାହା ଜଣାପଡ଼ିଛି, ମଧ୍ୟପ୍ରଦେଶରେ ପୁଣି ଥରେ ବିଜେପି କ୍ଷମତାକୁ ଫେରିବ ଅର୍ଥାତ ଶିବରାଜ ସିଂହ ଚୌହାଣ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।

ସର୍ଭେ ଅନୁସାରେ ରାଜ୍ୟର ୨୩୦ ବିଧାନସଭା ଆସନରୁ ବିଜେପିକୁ ସର୍ବାଧିକ ୧୨୮ଟି ଆସନ ମିଳିବ। କଂଗ୍ରେସକୁ ୮୫ଟି ଆସନ ମିଳିପାରେ। ବହୁଜନ ସମାଜ ପାର୍ଟିର ଖାତାରେ ୮ଟି ଆସନ ରହିବ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ଆସନ ମିଳିପାରେ। କ୍ଷମତା ଆଶରେ କଂଗ୍ରେସ ଜୋରଦାର ନିର୍ବାଚନ ପ୍ରଚାର କରୁଥିବା ବେଳେ ଆଶା ପୂରଣ ହେବ ନାହିଁ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ୧୬୫ଟି ଆସନ ଥିଲା ଓ କଂଗ୍ରେସକୁ ୫୮ଟି ସିଟ, ବିଏସ୍‌ପିକୁ ୪ଟି ସିଟ ମିଳିଥିଲା। ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ୩ଟି ଆସନ ଯାଇଥିଲା। କଂଗ୍ରେସକୁ ଆଗାମୀ ନିର୍ବାଚନରେ ୨୭ଟି ଆସନ ଅଧିକ ମିଳିପାରେ କିନ୍ତୁ ପୂର୍ଣ୍ଣମତ ମିଳିବା ସହଜ ନୁହେଁ। ବିଏସ୍‌ପି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ଅଧିକା ଆସନ ମିଳିପାରେ। ସର୍ଭେରେ ପ୍ରାୟ ୧୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ।

ସର୍ଭେ ଅନୁସାରେ ଶିବରାଜ ସିଂହ ଚୌହାଣ ଏବେ ସର୍ବାଧିକ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାଙ୍କୁ ୪୧ ପ୍ରତିଶତ ମତଦାତା ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି। ୨ୟ ସ୍ଥାନରେ ୨୨ ପ୍ରତିଶତ ଲୋକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପସନ୍ଦ କରିଛନ୍ତି। ୧୮ ପ୍ରତିଶତ ଲୋକଙ୍କ ମତରେ କମଳନାଥ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟପ୍ରଦେଶର ବିକାଶ ହେବ।

By amfnews

Related Post