Fri. Mar 6th, 2026

ସର୍ବସମ୍ମୁଖରେ ସରକାରୀ କର୍ମଚାରୀଙ୍କ ହାତରେ ଜୋତା ସଫା କରାଇ ୟୁପିର ବିଜେପି ମନ୍ତ୍ରୀ ହରଡ଼ଘଣାରେ;  ଫଟୋ ଓ ଭିଡିଓ ହେଲା ଭାଇରାଲ

287 Views

ଗୋରଖପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ସର୍ବସମ୍ମୁଖରେ ତାଙ୍କର ଜୋତାକୁ ଜନୈକ ସରକାରୀ ସହାୟକଙ୍କ ହାତରେ ସଫା କରାଉଥିବା ବେଳେ କ୍ୟାମେରା ଆଖିରେ ଧରାପଡ଼ି ବଡ଼ ହଟହଟା ହୋଇଛନ୍ତି। ଅନ୍ୟ ପକ୍ଷରେ ମନ୍ତ୍ରୀଙ୍କ ଜୋତା ସଫା କାଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇପଡ଼ିବା ପରେ ମନ୍ତ୍ରୀଙ୍କ ଏ ପ୍ରକାର ସାମନ୍ତବାଦୀ କାର୍ଯ୍ୟକୁ ନାପସନ୍ଦ କରାଯିବା ସହ ତାଙ୍କୁ ସବୁ ମହଲରୁ ନିନ୍ଦା କରାଯାଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ଗୁରୁବାର ଦିନ ଖୁସିନଗରରେ ଥିବା ବୁଦ୍ଧ ପିଜି କଲେଜକୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ତେବେ କଲେଜର ପଡ଼ିଆ ଭିତରକୁ ଯାଇ ବୃକ୍ଷରୋପଣ କଲାବେଳେ ମନ୍ତ୍ରୀ ପିନ୍ଧିଥିବା ଜୋତାରେ କିଛି ମାଟି କାଦୁଅ ଲାଗି ଯାଇଥିଲା। ଏକଥା ଦେଖିବା ପରେ ମନ୍ତ୍ରିଜୀ ତାଙ୍କ ପାଇଜମାକୁ ଉପରକୁ ଟେକି ଧରି ତାଙ୍କ ସହ ଆସିଥିବା ଜଣେ ସରକାରୀ କର୍ମଚାରୀଙ୍କ ଆଡ଼କୁ ଜୋତା ପିନ୍ଧା ପାଦକୁ ବଢ଼ାଇ ଦେବା ସହ ଜୋତାରେ ଲାଗିଥିବା କାଦୁଅକୁ ସଫା କରିବାକୁ କହିଥିଲେ। ମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ତାଙ୍କ ସହ ଆସିଥିବା ସରକାରୀ କର୍ମଚାରୀ ହାତରେ ଖଣ୍ଡିଏ କନାଧରି ମନ୍ତ୍ରୀଙ୍କ ଜୋତାରୁ କାଦୁଅକୁ ପୋଛି ସଫା କରିଥିଲେ।

ତେବେ, ଏହି ସମୟରେ ସେଠାରେ ଉପସ୍ଥିତ ସମ୍ବାଦିକମାନେ ଯେତେବେଳେ ଏହି ଘଟଣାର ଫଟୋ ଉଠାଇଥିବା ମନ୍ତ୍ରୀ ଜାଣିବାକୁ ପାଇଲେ, ସେତେବେଳେ ସେ ଆଉ ସେଠାରେ ନରହି ତରତର ପାଦରେ ନିଜ ଗାଡ଼ି ଆଡ଼କୁ ପଳାଇ ଯିବାକୁ ବାହାରିଥିଲେ। ତଥାପି ସମ୍ବାଦିକମାନେ ଯେତେବେଳେ ତାଙ୍କର ପିଛା କରି ତାଙ୍କୁ ଘଟଣା ସଂପର୍କରେ ପଚାରିଥିଲେ ସେତେବେଳେ ସେ ଘଟଣାକୁ ଫାଙ୍କିଦେବା ସହ ମୋର କିଛି ମନେ ନାହିଁ, ମୋ ଜୋତା କେହି ସଫା କରିନାହାନ୍ତି ବୋଲି କହି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ହେଲେ, ପରେ ମନ୍ତ୍ରୀଙ୍କ ଜୋତା ସଫା କାଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇପଡ଼ିବା ପରେ ମନ୍ତ୍ରୀଙ୍କ ଏପ୍ରକାର ସାମନ୍ତବାଦୀ କାର୍ଯ୍ୟକୁ ସବୁ ମହଲରୁ ତୀବ୍ର ସମାଲୋଚନା କରାଯାଇଛି।

By amfnews

Related Post