Fri. Mar 6th, 2026

ସରୁନି ରେଲୱେ ଓଭରବ୍ରିଜ୍‌ କାମ ; ଆନ୍ଦୋଳନକୁ ଓହ୍ଲାଇଲେ ୪ ପଞ୍ଚାୟତବାସୀ

281 Views

ଝାରସୁଗୁଡ଼ା : ବାରମ୍ବାର ଦାବି ସତ୍ତ୍ୱେ ଝାରସୁଗୁଡା-ସରଡେଗା ରେଳ ଲାଇନରେ ଥିବା ରାଜପୁରସ୍ଥିତ ରେଲୱେ ଓଭର ବ୍ରିଜ୍  କାମ ଅଧ ପନ୍ତରିଆ ଭାବେ ପଡିରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତୀକ୍ଷିତ ୫୩ କିଲୋମିଟର ବିଶିଷ୍ଟ ଝାରସୁଗୁଡା-ସରଡେଗା ରେଳ ଲାଇନର ଶୁଭାରମ୍ଭ କରିଥିଲେ । ଏହି ପ୍ରକଳ୍ପ ନିମନ୍ତେ ୧୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା।  ଏହି ରେଳ ଲାଇନ ଏବେ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ରାଜପୁରସ୍ଥିତ ରେଲୱେ ଓଭରବ୍ରିଜ୍‌ କାମ ଶେଷ ହେବା ନାଁ ଧରୁନି।

ଜଗୁଆଳି ବିହୀନ ଏହି ଫାଟକ ଦେଇ ସ୍ଥାନୀୟ ଲୋକେ ଯାତାୟତ କରୁଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ମୁଖ୍ୟତଃ ରାଜପୁର, ଚନ୍ଦନିମାଲ, ଲୋଇସିଙ୍ଗ, ଗୌରମାଲ ପଞ୍ଚାୟତ ବାସିନ୍ଦା ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଫଳରେ ଟ୍ରେନ ଯାଉଥିଲେ ସେମାନଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏଥିଯୋଗୁ ପ୍ରାୟତଃ ଛାତ୍ରଛାତ୍ରୀ, କର୍ମଜୀବୀ ତଥା ରୋଗୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି।

ଏଥିରେ ଅତିଷ୍ଠ ହୋଇ ଅଧପନ୍ତରିଆ ହୋଇ ପଡ଼ିଥିବା ରେଲୱେ ଓଭରବ୍ରିଜ୍‌ କାମ ତୁରନ୍ତ ସାରିବା ଦାବିରେ ଉକ୍ତ ୪ ପଞ୍ଚାୟତ ବାସିନ୍ଦା ଆଜି ସକାଳୁ ରାଜପୁରଠାରେ ରେଳରୋକ ସହିତ ରାସ୍ତାରୋକ କରିଥିଲେ। ଖବର ପାଇ ରେଳ ବିଭାଗ ଅଧିକାରୀ, ଆଡିସନାଲ ତହସିଲଦାର ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଆନ୍ଦୋଳନ ଯୋଗୁ  ବସୁନ୍ଧରା ଅଞ୍ଚଳରୁ MCL କୋଇଲା ପରିବହନ ପ୍ରଭାବିତ ହେଉଛି।

ରେଲୱେ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ସତ୍ୟବ୍ରତ ନାୟକଙ୍କୁ ପଚାରିବାରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ଆସନ୍ତା ଡିସସେମ୍ବର ୩୧ ତାରିଖ ସୁଦ୍ଧା ରେଲୱେ ଓଭରବ୍ରିଜ କାମ ସାରିବାକୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ରାସ୍ତା ମରାମତି ଓ ଲେଭଲ କ୍ରସିଙ୍ଗ ନିକଟରେ ମଧ୍ୟ ଆଲୋକୀକରଣର ସୁବିଧା କରିବାକୁ ରାଜି ହୋଇଥିବା କହିଛନ୍ତି। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

By amfnews

Related Post