Sat. Mar 7th, 2026

ସରିଲାଣି ୧୪ କୋଟି ଲୋକଙ୍କ ସଞ୍ଚୟ, ସଙ୍କଟରେ ଦେଶର ୩୦ ଭାଗ ସହର ବାସିନ୍ଦା

233 Views

ନୂଆଦିଲ୍ଲୀ : କରୋନା ଲକ୍ ଡାଉନ୍ ଯୋଗୁଁ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏଥିରେ ଗ୍ରାମାଞ୍ଚଳ ଲୋକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସତ, କିନ୍ତୁ ସହରବାସୀ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୩୦ ଭାଗ (୧୪ କୋଟି) ଲୋକଙ୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କର ସମସ୍ତ ସଞ୍ଚୟ ସରିଯିବ। ଏପରିକି ଅତ୍ୟାବଶ୍ୟକ ଖର୍ଚ୍ଚ ତୁଲାଇବା ପାଇଁ ମଧ୍ୟ ସେମାନଙ୍କୁ ନୟାନ୍ତ ହେବାକୁ ପଡ଼ିବ। ଅପରପକ୍ଷେ, ପରିସ୍ଥିତିର ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ଗରିବଙ୍କ ସ୍ଥିତି ଅପେକ୍ଷାକୃତ ଭଲ ରହିବ ବୋଲି ଜଣାଯାଇଛି।

‘ଲାଇଭ୍‌ମିଣ୍ଟ’ରେ ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ୍ ପରଠାରୁ ୮୪ ପ୍ରତିଶତ ପରିବାରଙ୍କର ରୋଜଗାର କମିଯାଇଛି। ସୁତରାଂ ଚଳନ୍ତି ରୋଜଗାର କମିବା କାରଣରୁ ସେମାନଙ୍କୁ ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ ନିଜର ସଞ୍ଚିତ ଅର୍ଥ ଉପରେ ନିର୍ଭର କରିବାକୁ ପଡ଼ୁଛି। ସହରାଞ୍ଚଳର ଗରିବଙ୍କ କ୍ଷେତ୍ରରେ ସେମାନଙ୍କ ସଞ୍ଚୟ ଖାଲି ହୋଇଗଲାଣି।

ଏପ୍ରିଲରୁ ଜୁନ୍ ଭିତରେ ଲାଗୁ ହୋଇଥିବା ଚାରି ପର୍ଯ୍ୟାୟ ବିଶିଷ୍ଟ ଲକ୍‌ଡାଉନ୍ ସ୍ଥିତି ପରିପ୍ରେକ୍ଷୀରେ ଅତି ବିଷମ ପରିସ୍ଥିତିରେ ସହରାଞ୍ଚଳରେ ହାରାହାରି ରୋଜଗାର ୮୨ ପ୍ରତିଶତ କମିଥିବା ବେଳେ ଗ୍ରାମାଞ୍ଚଳରେ ତାହା ୬୬ ପ୍ରତିଶତ କମିଛି। ତେବେ ମଧ୍ୟମ ଧରଣର ସ୍ଥିତିକୁ କଳନା କଲେ ସହରାଞ୍ଚଳରେ ୬୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ଲୋକଙ୍କର ସଞ୍ଚୟ ସରିଯାଇଛି। ଏପରିକି ସେମାନେ ପ୍ରଥମ ୨୧ ଦିନିଆ ଲକ୍‌ଡାଉନ୍ ପରେ ପରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସମର୍ଥ ହୋଇପାରିନାହାନ୍ତି। ଅପରପକ୍ଷେ, କୃଷିକ୍ଷେତ୍ର ପାଇଁ ସରକାରଙ୍କ ସ୍ବତନ୍ତ୍ର ସୁବିଧା ସୁଯୋଗ ଘୋଷଣା ଏବଂ ଗ୍ରାମାଞ୍ଚଳରେ ତ୍ବରିତ ଅର୍ଥନୀତିର ପୁନରୁଦ୍ଧାର ଯୋଗୁଁ ଗ୍ରାମା଼ଞ୍ଚଳ ଲୋକେ ଚଳିତ ମାସ ଶେଷ ଯାଏ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ କିଛି ଅସୁବିଧା ରହିବନି ବୋଲି କୁହାଯାଉଛି। ସରକାର ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହିତ ନଗଦ ଟଙ୍କା ମଧ୍ୟ ଦେଉଛନ୍ତି।।

କିନ୍ତୁ ନଗରାଞ୍ଚଳ ଲୋକମାନଙ୍କୁ ଏଭଳି ସୁବିଧା ମିଳୁନଥିବାରୁ ସେମାନେ ସଂଚୟ କରି ରଖିଥିବା ଅର୍ଥ ସରି ସରି ଯାଉଛି। ଜୁନ୍ ସରିଲା ବେଳକୁ ସହରାଞ୍ଚଳବାସୀଙ୍କ ମଧ୍ୟରୁ ୩୦ ପ୍ରତିଶତ ବା ୧୩ କୋଟି ୯୦ ଲକ୍ଷ ନାଗରିକଙ୍କ ହାତରେ ଆଉ ଟଙ୍କାଟିଏ ବି ନଥିବ ବୋଲି ଏହି ସର୍ବେକ୍ଷଣରୁ ଜଣାଯାଇଛି।

ନେସନାଲ ସାମ୍ପଲ ସର୍ଭେର ବିଭିନ୍ନ ତଥ୍ୟକୁ ଆଧାର କରି କେତେକ ସଂସ୍ଥା ପକ୍ଷରୁ ଏଭଳି ସ‌ର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି।

By amfnews

Related Post