Sat. Mar 7th, 2026

ସରପଞ୍ଚଙ୍କ ସମର୍ଥନରେ ବାହାରିଲେ ଲୋକେ, ଅନାସ୍ଥା ପ୍ରସ୍ତାବକୁ ବିରୋଧ

347 Views

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ। ଗତ ୨ ବର୍ଷ ହେଲା ସରପଞ୍ଚ ରୀନା ପ୍ରଧାନ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମ କରି ନ ଥିବା ଅଭିଯୋଗ ଆଣି ୱାର୍ଡ ମେମ୍ବରମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏନେଇ ସମୁଦାୟ ୧୩ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ନାଏବ ସରପଞ୍ଚଙ୍କ ସମେତ ୧୧ଜଣ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଉପଜିଲାପାଳଙ୍କ ଚିଠି ମୁତାବକ ୱାର୍ଡ ମେମ୍ବରଙ୍କ ଦସ୍ତଖତ ଯାଞ୍ଚ କରିବା ପାଇଁ ଜିପିଇଓ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବେଳେ ପଞ୍ଚାୟତବାସୀ ଏହାକୁ ବିରୋଧ କରିଥିଲେ।

ଏପରିକି ଉତ୍ତ୍ୟକ୍ତ ମହିଳାପୁରୁଷ ଗରଡ଼ମା ପଞ୍ଚାୟତରୁ ଅଭିଯୋଗ ଶୁଣାଣି ସାରି ଫେରୁଥିବା  ଜିଲ୍ଲାପାଳଙ୍କ ସମେତ, ଏସ୍‌ପି ଓ ପିଡିଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିଲେ। ସରପଞ୍ଚଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ କରିବାକୁ ସେମାନେ ଦାବି କରିଥିଲେ । ସରକାରଙ୍କ ନିୟମ ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ଏହି ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ ନ କଲେ ଆଗାମୀ ଦିନରେ କୌଣସି କାମରେ ସହଯୋଗ କରାଯିବ ନାହିଁ ବୋଲି ୱାର୍ଡ ମେମ୍ବରମାନେ ଚେତାବାନୀ ଦେଇଛନ୍ତି। ତେବେ ୱାର୍ଡମେମ୍ବରମାନେ ଆଣିଥିବା ଅଭିଯୋଗକୁ ସରପଞ୍ଚ ରୀନା ପ୍ରଧାନ ଖଣ୍ଡନ କରିଛନ୍ତି।

By amfnews

Related Post