Mon. Dec 23rd, 2024

ସରକାରୀ ୱେବ୍‌ସାଇଟ୍‌ରୁ ମିଳୁଛି ଚାଷୀଙ୍କୁ ଫେକ୍ ଆଇଡି! : ଓଡ଼ିଶାରେ ହେଲାଣି ୮ ଲକ୍ଷ କାର୍ଡ, କୃଷି ବିଭାଗ ନିକଟରେ ଖବର ନାହିଁ

By amfnews Aug 1, 2019 #Featured
295 Views

ଚାନ୍ଦବାଲି : ସରକାରୀ ୱେବ୍‌ସାଇଟ୍‌ରୁ ମିଳୁଛି ଜାଲି କିଷାନ ଆଇଡି କାର୍ଡ। ଏଥିପାଇଁ ବିଭିନ୍ନ କମ୍ପ୍ୟୁଟର କେନ୍ଦ୍ର ସମ୍ମୁଖରେ ଲୋକଙ୍କ ଳମ୍ବା ଲାଇନ୍‌ ଲାଗୁଥିବା ବେଳେ କୃଷି ବିଭାଗ ନିକଟରେ ଏ ବାବଦରେ କିଛି ଖବରନାହିଁ। ବରଂ ଏ ନେଇ ଥାନାରେ ଅଭିଯୋଗ କରିବାକୁ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି।

ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ୱେବ୍‌ସାଇଟ୍‌ ହେଉଛି www.kisan.gov.in। ଏହି ୱେବ୍‌ସାଇଟ୍‌ରୁ ଚାଷୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସମସ୍ତ ସୁବିଧା ଉପଲବ୍ଧ। ହେଲେ ଗତ କିଛିମାସ ହେବ ଏହି ସାଇଟ୍‌ରୁ ଲକ୍ଷଲକ୍ଷ ଚାଷୀଙ୍କୁ କିଛି ଦଲାଲ ଆଇଡି କାର୍ଡ କରାଇ ଦେବା ନାଁରେ ଲୁଟ‌୍ କରି ମାଲାମାଲ ହେଉଛନ୍ତି। ଖାଲି ଯେ ଚାନ୍ଦବାଲିରେ ଏପରି ଘଟଣା ଦେଖାଯାଇଛି ତାହାନୁହେଁ, ସମଗ୍ର ଦେଶରେ ଲକ୍ଷଲକ୍ଷ ସଂଖ୍ୟାରେ ଏପରି ଜାଲି ଆଇଡି ତିଆରି କରାଯାଇ ଚାଷୀଙ୍କୁ ଭକୁଆ ବନାଯାଉଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ତେଲେଙ୍ଗାନାରେ ସର୍ବାଧିକ ୩୩ ଲକ୍ଷ ୯୦ ହଜାର, କେରଳରେ ୧୯ ଲକ୍ଷ ୭୬ ହଜାର, ଆନ୍ଧ୍ରପ୍ରଦେଶରେ ୬ ଲକ୍ଷ ୪୩ ହଜାର ଏବଂ ଓଡ଼ିଶାରେ ୮ ଲକ୍ଷ ୩୩ ହଜାର ଚାଷୀଙ୍କର ଏଭଳି କାର୍ଡ ହୋଇସାରିଛି। ଆମ ରାଜ୍ୟରେ ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ୭୬ ହଜାର, କଟକରେ ୨ ଲକ୍ଷ ୭୦ ହଜାର, କେନ୍ଦ୍ରାପଡ଼ା ଜିଲ୍ଲାରେ ୬୦ ହଜାର, ଭଦ୍ରକ ଜିଲ୍ଲାରେ ୩୦ ହଜାର ଫାର୍ମର୍ସ ଆଇଡି ହୋଇସାରିଛି। ଏଥିମଧ୍ୟରେ କେବଳ ଚାନ୍ଦବାଲିରେ ୨୯ ହଜାରରୁ ଊର୍ଦ୍ଧ୍ବ ଆଇଡି ହୋଇସାରିଛି। ଏହି ଆଇଡି ଆବେଦନ ସମୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସମେତ ଆଧାର କାର୍ଡ, ଫୋନ୍‌ ନମ୍ବର, ପାନ୍‌ କାର୍ଡ ନିଆଯାଉଛି। ଏଥିପାଇଁ ଗାଁଗାଁରେ ଦଲାଲ ୨ ଶହ ଟଙ୍କା ଲେଖାଏଁ ଆଦାୟ କରୁଥିବାବେଳେ ବିଭିନ୍ନ ସାଇବର କାଫେରୁ ମାତ୍ର ୨୦ ଟଙ୍କା ଦେଇ ଏହି ଆଇଡି କାର୍ଡ ମିଳିପାରୁଛି। କେନ୍ଦ୍ର ସରକାର ସମସ୍ତ ଚାଷୀଙ୍କୁ ବାର୍ଷିକ ୨ ହଜାର ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ଏହି ଅର୍ଥ ମିଳିବା ଆଶାରେ ଘରେଘରେ ଏବେ ୧୮ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଏହି ଆଇଡି କରୁଛନ୍ତି।

ଏ ସମ୍ପର୍କରେ ଭଦ୍ରକ ଜିଲ୍ଲା କୃଷି ଅଧିକାରୀ କିରଣ ପରିଡ଼ାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହି ଫାର୍ମର୍ସ ଆଇଡି ସମ୍ପର୍କରେ ବିଭାଗ ପାଖରେ କୌଣସି ସୂଚନା କିମ୍ବା ସରକାରୀ ନିର୍ଦେଶ ନାହିଁ। ଏହି ଆଇଡି ପାଇବା ପାଇଁ ପଞ୍ଚାୟତର ଭିଏଲ୍‌ଡବ୍ଲୁ ନଚେତ କୃଷି ବିଭାଗ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରାଯାଏ ବୋଲି ଶ୍ରୀ ପରିଡ଼ା କହିଥିଲେ। ତେବେ ଏ ନେଇ ଶ୍ରୀ ପରିଡ଼ା ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

By amfnews

Related Post