Sun. Mar 8th, 2026

ସରକାରୀ କାର୍ଯ୍ୟରେ ଏଣିକି ଓଡ଼ିଆ ଭାଷା ବ୍ୟବହାର ନ କଲେ ଶାସ୍ତି ପାଇବେ ଅଧିକାରୀ !

227 Views

ଭୁବନେଶ୍ବର : ଏଣିକି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନ କଲେ ଖିଲାପକାରୀଙ୍କୁ ଦଣ୍ଡ ମିଳିବ। ଏ ନେଇ ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ନିୟମାବଳୀ ୨୦୧୬ର ସଂଶୋଧନ ପାଇଁ ନିୟମାବଳୀ ପ୍ରଣୟନ କରିଛନ୍ତି। ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ନିୟମାବଳୀ-୨୦୧୯ ଅନୁଯାୟୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗମାନଙ୍କୁ ପୁରସ୍କୃତ କରାଯିବ।

ଏହାସହିତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରରେ ବାରମ୍ବାର ଖିଲାପ କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିୟମ ପ୍ରଣୟନ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବା ବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଶୃଙ୍ଖଳାଗତ କାର୍ଯ୍ୟବିଧି ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୋହର ମାରିଲେ ରାଜ୍ୟପାଳ

ମନ୍ତ୍ରୀମଣ୍ଡଳସ୍ତରୀୟ (କ୍ୟାବିନେଟ)ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୋହର ମାରିଛନ୍ତି। ସରକାର ଗତକାଲି ଏହାକୁ ଗେଜେଟ୍‌ରେ ପ୍ରକାଶ କରିଛନ୍ତି। ତେଣୁ ଗତକାଲିଠାରୁ ରାଜ୍ୟରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳନ ପାଇଁ ନିୟମାବଳୀ ପ୍ରଣୟନ ହୋଇଛି। ନିୟମ ମୁତାବକ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା (ଶ୍ରେଣୀବିନ୍ୟାସ, ନିୟନ୍ତ୍ରଣ ଓ ଅପିଲ) ଅଧିନିୟମ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବାବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବାବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଅନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟପକ ଭାବେ ଓଡ଼ିଆ ବ୍ୟବହାର କରୁଥିବା କର୍ମଚାରୀ ବା ବିଭାଗମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

By amfnews

Related Post