ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଅ ଚାଲିଗଲା। ତା’ ପରେ ପରେ ସ୍ୱାମୀ ବି ଚାଲିଗଲେ। ଦୁଃଖର କଳାବାଦଳ ମାଡ଼ି ଆସିଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନ ଥିଲେ। ନିଜ ୪ ଝିଅଙ୍କ ମୁହଁକୁ ଅନାଇ ସବୁ ସହି ନେଇଥିଲେ । ଭାବିଥିଲେ, ମଲା ପରେ ପୁଅର କାନ୍ଧ ସିନା ମିଳିବନି, କିନ୍ତୁ ଝିଅମାନେ ସବୁ କର୍ମ କରିଦେବେ। ସେଥିରେ ସେମାନେ କେବେ ହେଲେ ହେଳା କରିବେ ନାହିଁ। କିନ୍ତୁ ସେମିତି ଘଟିଲା ନାହିଁ। ସମ୍ପତ୍ତି ହେଲା କାଳ। ସମ୍ପତ୍ତି ପାଇଁ ଝିଅମାନେ ଏପରି କର୍ମ କଲେ ଯେ, ସେ ବଞ୍ଚିଥିଲେ ହୁଏତ ନିଜକୁ ଧିକ୍କାର କରିଥା’ନ୍ତେ।
ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ ବୋଲି ପ୍ରମାଣିତ କରିଦେଲେ ବୃଦ୍ଧାଙ୍କ ୪ ଝିଅ। ସମ୍ପତ୍ତି ଲୋଭରେ ଅନ୍ଧ ଝିଅମାନେ ଘର ଦାଣ୍ଡରେ ମା’ ଶବକୁ ଘଣ୍ଟା ଘଣ୍ଟା ପକାଇ ରଖିଲେ। ଏଥିପାଇଁ କିନ୍ତୁ ତିଳେ ମାତ୍ର ଅନୁଶୋଚନା ସେମାନଙ୍କ ମୁହଁରେ ଦେଖିବାକୁ ମିଳିଲା ନାହିଁ।
ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗର ଦ୍ୱିତୀୟ ଗଳିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ସୂର୍ଯ୍ୟମଣି ସାହୁ । ସୂର୍ଯ୍ୟମଣିଙ୍କ ୪ ଝିଅ ମଧ୍ୟରେ ସମ୍ପତ୍ତି ପାଇଁ ବର୍ଷ ବର୍ଷ ଧରି ଲାଗି ରହିଛି କଳି। ଏବେ ଏହି କଳି ଘରୁ ଆସି ଦାଣ୍ଡରେ ପହଞ୍ଚିଲାଣି।
ସୂର୍ଯ୍ୟମଣୀଙ୍କ ସ୍ୱାମୀ ତାରା ଚରଣ ସାହୁ ଜଣେ ଆର୍ମି ଅଫିସର ଥିବା ବେଳେ ବହୁ ବର୍ଷ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପୂର୍ବରୁ ଆଖି ବୁଜି ସାରିଥିଲେ ସୂର୍ଯ୍ୟମଣୀଙ୍କ ଏକମାତ୍ର ପୁଅ। ନିଜ ୪ ଝିଅଙ୍କ ଭରସାରେ ବାକି ଜୀବନ କାଟି ଦେବେ ବୋଲି ସେ ଆଶା ରଖିଥିଲେ। କିନ୍ତୁ ଝିଅମାନଙ୍କ ନଜର ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ଥିଲା।
ସୂର୍ଯ୍ୟମଣୀ ଶ୍ରୀରାମନଗର ଦ୍ୱିତୀୟ ଗଳିରେ ଥିବା ୪ ମହଲା ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ବଡ଼ ଝିଅ ମୀନା କୁମାରୀ ସାହୁ ନିଜ ପରିବାର ସହ ଆସି ସେଠାରେ ରହିଲେ। ଏହାପରେ ସେ ଉକ୍ତ ଘରକୁ ନିଜ କବଜାକୁ ନେଇଗଲେ। ଏହାକୁ ନେଇ ତାଙ୍କର ଅନ୍ୟ ୩ ଭଉଣୀ ସନ୍ଧ୍ୟା ରାଣୀ ସାହୁ, ସଂଯୁକ୍ତା କୁମାରୀ ସାହୁ, ଅରୁଣା ରାଣୀ ସାହୁଙ୍କ ସହ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଏହି ଘଟଣାକୁ ନେଇ ଥାନାରେ ବହୁ ମାମଲା ପଡ଼ି ରହିଛି।
ବାର୍ଦ୍ଧକ୍ୟଜନିତ ରୋଗ ହେତୁ ସୂର୍ଯ୍ୟମଣୀ ଦୀର୍ଘଦିନ ହେଲା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ସନ୍ଧ୍ୟା ୫ଟାରେ ମୃତଦେହ ଘର ସମ୍ମୁଖରେ ପହଞ୍ଚିଥିଲା। କିନ୍ତୁ ଘରେ ଥିବା ବଡ଼ି ଝିଅ ଭିତରୁ ତାଲା ପକାଇ ଦେଇଥିବା ବେଳେ ଶବ ଦାଣ୍ଡରେ ପଡ଼ି ରହିଥିଲା।
ଏହାଦେଖି ଧିରେ ଧିରେ ଲୋକଙ୍କ ଗହଳି ବଢ଼ିବାରେ ଲାଗିଥିଲା। ସୂର୍ଯ୍ୟମଣୀଙ୍କ ଅନ୍ୟ ୩ ଝିଅ ପହଞ୍ଚି ଏହାଦେଖି ଗେଟ୍ ବାହାର ପଟୁ ୨, ୩ ଟି ତାଲା ପକାଇଦେଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ଆରମ୍ଭ ହୋଇଗଲା କଳି ଝଗଡ଼ା। ସମ୍ପତ୍ତି ଭାଗ ନ ହେବା ପର୍ଯ୍ୟନ୍ତ ମୃତଦେହ ଉଠାଇ ଦେବେ ନାହିଁ ବୋଲି ଖୋଦ ଝିଅମାନେ ଜିଦ୍ ଧରିଲେ।
ଖବର ପାଇ ପୁଲିସ୍ ପହଞ୍ଚି ସମାଧାନ ପାଇଁ ଉଦ୍ୟମ କରିଥିଲା । ଘର ଭିତରୁ ବଡ଼ ଝିଅ ବାହାରିବା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ରାତି ପ୍ରାୟ ୧୦ଟା ପରେ ଶବ ସତ୍କାର ନିମନ୍ତେ ପରିବାର ଲୋକେ ନେଇଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।