Tue. Mar 10th, 2026

ସମସ୍ୟା ଘେରରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ‘ଢେପାଗୁଡା ଗାଁ’, ସଞ୍ଜ ନଇଁଲେ ଡିବିରି ଆଲୁଅ ଖୋଜା

271 Views

ରାମନାଗୁଡା : ଦେଶ ସ୍ବାଧୀନତା ପାଇବାର ୭୨ବର୍ଷ ବିତିଗଲା। କିନ୍ତୁ ଏବେ ମଧ୍ୟ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଆଲୋକ ଭଳି ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ବାରମ୍ବାର ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଲୋକେ ଗୁହାରି କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ। ଏଭଳି ଏକ ଗ୍ରାମ ହେଉଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଢେପାଗୁଡା।

ରାମନାଗୁଡା ବ୍ଲକର ଅବହେଳିତ ଉକୁମ୍ବା ପଞ୍ଚାୟତ ଅଧୀନରେ ରହିଛି ଢେପାଗୁଡା ଗାଁ। ରାମନାଗୁଡା ମୁଖ୍ୟ ରାସ୍ତାରୁ ୧୭କିଲୋମିଟର ଦୂର ଗଲେ ଏହି ଗାଁରେ ପହଞ୍ଚିବାକୁ ପଡିଥାଏ। ଏଠାରେ ୪୫ ଆଦିବାସୀ ଓ ଶବର ସମ୍ପ୍ରଦାୟର ପରିବାରରେ ୧୬୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଗାଁକୁ ବିଜୁଳି ଲାଇନ୍ ଆସିଛି ସତ କିନ୍ତୁ ୨ରୁ ୩ଟି ଘରକୁ ଛାଡି ଦେଲେ ଅନ୍ୟ କୌଣସି ଘରକୁ ବିଜୁଳି ପହଞ୍ଚି ପାରି ନାହିଁ। ଦୀର୍ଘ ଦିନ ଧରି ଲୋ ଭୋଲଟେଜ୍ ସମସ୍ୟାରେ ପେଶି ହେଉଥିବା ବେଳେ ବିଦ୍ୟୁତ ବିଭାଗ ଗ୍ରାମବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା କହିଛନ୍ତି। ଫଳରେ ସଞ୍ଜ ନଇଁଲେ ଏଠାରେ ଲୋକେ ଡିବିରି ଆଲୁଅ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ତେବେ କିରାସିନି ଶେଷ ହୋଇଗଲେ ଅନ୍ଧାରରେ ରାତି ବିତାଇ ଥାନ୍ତି ବୋଲି କୁହନ୍ତି ଗ୍ରାମବାସୀ।

ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ସରକାରୀ ରିପୋର୍ଟ କହୁଛି। କିଛି ଲୋକ ଛୋଟ ଛୋଟ ସୋଲାର ଲ୍ୟାମ୍ପ ଖରିଦ କରି ବ୍ୟବହାର କରୁଛନ୍ତି। ଏହି ଲ୍ୟାମ୍ପରେ ଗୋଟିଏ ବଲବ ଓ ମୋବାଇଲ ଚାର୍ଜ କରୁଥିବା ଦେଖିବାକୁ ମିଳିଛି। ସେହିପରି ଗ୍ରାମବାସୀ ଖାଲଖମାରେ ଭର୍ତି କାଦୁଅ ପଚପଚ ରାସ୍ତାରେ ଯିବାଆସିବା କରିଥାନ୍ତି। ବିଶେଷକରି ଗାଜିଲିଗୁଡା ଠାରୁ ଢେପାଗୁଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଖାଦ୍ୟ ସୁରକ୍ଷା ଆଇନ ହେବା ପରେ କିରାସିନି କୋଟା କମି ଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଗାଁକୁ ବିଦ୍ୟୁତ ସେବା ଯୋଗାଣ କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଏହି ସବୁ ଯୋଜନା ଏଠାରେ ଅପହଞ୍ଚ ହୋଇଥିବା ଜଣାପଡିଛି। ତୁରନ୍ତ ବିଦ୍ୟୁତ ସେବା ଯୋଗାଇବା ପାଇଁ ବିଧୁ ଶବର, ତ୍ରିନାଥ ଶବର, ବୁଡା ଶବର, ହୃଷିକେଶ ଶବର, କମଳ ଶବଳ, ନୀଳମାଧବ ଶବର, ସୁଲୋଚନା ଶବର, ମାଲେଶ୍ବରୀ ଶବର ପ୍ରମୁଖ ଦାବି କରିଛନ୍ତି।

ଏ ସମ୍ପର୍କରେ ସରପଞ୍ଚ ବନମାଳୀ ଶବରଙ୍କୁ ପଚାରିବାରୁ ମୁଁ ବାରମ୍ବାର ସମିତି ବୈଠକରେ ଅଭିଯୋଗ କରିବା ସହ ବିଦ୍ୟୁତ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି। ଏନେଇ ଗୁଣପୁର ସାଉଥକୋ ନିର୍ବାହୀ ଯନ୍ତୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କୁ ପଚାରିବାରୁ ଯଥାଶୀଘ୍ର ଉକ୍ତ ଗ୍ରାମର ସମସ୍ତ ପରିବାରକୁ ବିଜୁଳି ସଂଯୋଗ ଦିଆଯିବ ବୋଲି କହିଛନ୍ତି।

By amfnews

Related Post