Sat. Mar 7th, 2026

ସଦ୍ୟଜନ୍ମିତ ହାତୀ ଶାବକର ମୃତ୍ୟୁ, ବିନା ବ୍ୟବଚ୍ଛେଦରେ ଶବ ପୋତାଗଲା

221 Views

ଖୁଣ୍ଟୁଣୀ  : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ କୃଷ୍ଣପୁର ଫରେଷ୍ଟ ସେକ୍ସନର ଖଣ୍ଡୁଆଳି ଗ୍ରାମ ଠାରୁ ପ୍ରାୟ ୧ କିମି ଦୂର ହଜାରିମାଣିଆ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଜି ଏକ ସଦ୍ୟ ଜନ୍ମିତ ହାତୀ ଶାବକର ମୃତ୍ୟୁ ଘଟିଛି। ମୃତ ଶାବକଟି ମା’ ପେଟରୁ ମୃତ୍ୟୁବରଣ କରିଛି ନା ଜନ୍ମର କିଛି ସମୟ ପରେ ମୃତ୍ୟୁବରଣ କରିଛି, ତାହା ସ୍ପଷ୍ଟ ହୋଇନି । ଅପରପକ୍ଷେ ହାତୀ ଶାବକର ମୃତ୍ୟ ଖବର ପାଇ ଖୁଣ୍ଟୁଣୀ ବନ ବିଭାଗର ବିଭାଗୀୟ ବନପାଳ ଓ ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚି ହତୀ ଶାବକ ମରିପଡିଥିବା ସ୍ଥାନର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ବିନା ବ୍ୟବଚ୍ଛେଦରେ ହାତୀ ଶାବକଟିକୁ ସେଠାରେ ଗାତ ଖୋଳି ପୋତି ଦେଇଥିବା ଜଣାଯାଇଛି।

ଏଠାରେ ପ୍ରକାଶଯୋଗ୍ୟ ଯେ,ଗତ କିଛିଦିନ ହେଲା ହାତୀପଲ୍ଲ ବଣିଆବନ୍ଧ ରିଜର୍ଭ ଫରେଷ୍ଟରେ ବିଚରଣ କରୁଛନ୍ତି। ସନ୍ଧ୍ୟା ପରଠୁ ସ୍ଥାନୀୟ କଂସର, ଡାଳୁଆ, ଖଣ୍ଡୁଆଳି ଗ୍ରାମ ସନ୍ନିକଟ ହେଉଛନ୍ତି ହାତୀପଲ୍ଲ। ଆଜି ସକାଳେ ଖଣ୍ଡୁଆଳି ଗ୍ରାମର କିଛି ଲୋକ ହଜାରିମାଣିଆ ଜଙ୍ଗଲ ନିକଟ ପାଦଚଲା ରାସ୍ତା ପାର୍ଶ୍ୱରେ ହାତୀ ଶାବକଟି ମରି ପଡିଥିବା ଦେଖି ଗାଁରେ ଜଣାଇଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ବେଳକୁ ମୃତ ହାତୀ ଛୁଆକୁ ଛାଡି ଅନ୍ୟ ହାତୀମାନେ ଜଙ୍ଗଲକୁ ପଳାଇଯାଇଥିଲେ। ହାତୀ ଶାବକ ମୃତ୍ୟୁ ନେଇ ବନ ବିଭାଗ ଖବର ପାଇବା ପରେ ବନାଞ୍ଚଳ ଅଧିକାରୀ ଛୁଟିରେ ଥିବାରୁ  ସେକ୍ସନ ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ୱାଇଁ, ଗାର୍ଡ ଆଶିଷ ନାୟକ ଓ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ମୃତ୍ୟୁବରଣ କରିଥିବା ହାତୀ ଶାବକକୁ ବିନା ବ୍ୟବଚ୍ଛେଦରେ ପୋତି ଦେଇଥିଲେ। ସୂଚନାଥାଉକି, ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିବା ଜଣାପଡିବା ପରେ ବନ ବିଭାଗ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ମୃତ ବନ୍ୟ ପ୍ରାଣୀଙ୍କ ଶବ ବ୍ୟବଚ୍ଛେଦ କରିବା ନିୟମ ରହିଥିବା ବେଳେ ଖୁଣ୍ଟୁଣୀ ବନାଞ୍ଚଳରେ ମୃତ ହାତୀ ଶାବକର ବ୍ୟବଚ୍ଛେଦ କାହିଁକି ହେଲାନି ବୋଲି ପ୍ରଶ୍ନବାଚୀ ସୃଷ୍ଟିକରିଛି।

By amfnews

Related Post