Sat. Mar 7th, 2026

ସଚିବାଳୟରେ ଉତ୍ସବର ପରିବେଶ : ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଭିଡ଼

288 Views

ଭୁବନେଶ୍ବର, ଜାନୁୟାରୀ ୦୨ : ରାଜ୍ୟ ସଚିବାଳୟ ଆଜି ବେଶ୍ ଚଳଚଞ୍ଚଳ ଥିଲା। ଯୁଆଡ଼େ ଚାହିଁବ, ସିଆଡ଼େ ଦଳ ଦଳ ହୋଇ ଲୋକ ଯା’ଆସ କରୁଥିଲେ। କାହା ହାତରେ ଥିଲା ଫୁଲ ତ ଆଉ କାହା ହାତରେ ମିଠା। ପୁଣି କିଏ ଧରିଥିଲା ଡାଏରି। କର୍ମଚାରୀଙ୍କ ସଂଖ୍ୟା ସ୍ବାଭାବିକ ଥିଲା। ବାହାର ଲୋକଙ୍କ ସଂଖ୍ୟା ଅନ୍ୟ ଦିନ ଅପେକ୍ଷା ଢେର୍ ଅଧିକ ଥିଲା। ୨୦୧୯ର ପ୍ରଥମ ଦିନରେ ସଚିବାଳୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିନତମାମ ଏକ ନିଆରା ଅନୁଭବ ମିଳୁଥିଲା ପାୱାର୍ କରିଡର୍‌ରେ।

୧୧ଟା ସୁଦ୍ଧା ସବୁ ବିଭାଗରେ ଉପସ୍ଥାନ ସ୍ବାଭାବିକ ହୋଇଯାଇଥିଲା। କିନ୍ତୁ ଚେୟାର ଖାଲି ପଡ଼ିଥିଲା। କେହି କାମ କରିବାକୁ ମୁଡ୍‌ରେ ନ ଥିଲେ। ପରସ୍ପରକୁ ଅଭିନନ୍ଦନ ଜଣାଇବା ପାଇଁ ବାହାରେ ଏପଟ ସେପଟ ହେଉଥିଲେ। ଯେଉଁମାନେ ଆଜି ମୁଖ୍ୟ ପୋର୍ଟିକୋ ଦେଇ ସଚିବାଳୟ ଭିତରକୁ ପଶୁଥିଲେ, ସେମାନେ ବାଣିଜ୍ୟ ଓ ପରିବହନ ବିଭାଗ ପରିବହନ ବିଭାଗ ନିକଟରେ ପୂଜା ପାଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ଆସ୍ଥାନ ନିକଟକୁ ଯାଇ ଦର୍ଶନ କରୁଥିଲେ। ମନ୍ତ୍ରୀ କରିଡର୍‌ରେ କିଛି ମନ୍ତ୍ରୀ ଆଜି ଉପସ୍ଥିତ ଥିଲେ।

ସେମାନଙ୍କ ବିଭାଗର ସଚିବ, ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବାହାରୁ ବହୁ ଲୋକ ମଧ୍ୟ ଆସିଥିବା ଦେଖାଯାଇଥିଲା। ଅଧିକାରୀ ଓ କର୍ମଚାରୀମାନେ ବେଶୀ ଭିଡ଼ ଜମାଇଥିଲେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର‌୍‌ଙ୍କ ପ୍ରକୋଷ୍ଠରେ। ଉଭୟଙ୍କ ଚାମ୍ବର‌୍‌ରେ ପଶି ଶୁଭେଚ୍ଛା ଜଣାଇବାକୁ କାହାରିକୁ ବାଧା ଦିଆଯାଇ ନ ଥିଲା। ଏହା ବାଦ୍‌ ଅନ୍ୟ ବିଭାଗର ସଚିବମାନଙ୍କୁ ନିଜ ନିଜ ବିଭାଗର କର୍ମଚାରୀମାନେ ଅଭିନନ୍ଦନ ଜଣାଉଥିଲେ।

ସନ୍ଧ୍ୟାରେ ଆସିଲେ ମୁଖ୍ୟମନ୍ତ୍ରୀ, ଅଭିନନ୍ଦନ ଜଣାଇବାକୁ ଭିଡ଼

ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଆସି ନ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବି ତୃତୀୟ ମହଲାରେ ଭିଡ଼ କିଛି କମ୍‌ ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ବହୁ କର୍ମଚାରୀ ଓ ବ୍ୟକ୍ତିବିଶେଷ ଯାଉଥିବାର ଦେଖିବାକୁ ମିଳିଥିଲା। ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ପ୍ରବେଶ କଲା ବେଳକୁ ପୋର୍ଟିକୋରେ ଶତାଧିକ କର୍ମଚାରୀ ଠିଆ ହୋଇ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନିଜ କାର୍ଯ୍ୟାଳୟକୁ ଗଲା ପରେ ଆଇଏଏସ୍‌, ଆଇପିଏସ୍ ଓ ଓଏଏସ୍ ସଂଗଠନର ପ୍ରତିନିଧିମାନେ ଶୁଭେଚ୍ଛା ଜଣାଇଥିଲେ। ତାହା ପରେ ବିଭିନ୍ନ କର୍ମଚାରୀ ସଂଗଠନର ପ୍ରତିନିଧିମାନଙ୍କ ଲମ୍ବା ଧାଡ଼ି ଲାଗିଥିଲା। ମୁଖ୍ୟମନ୍ତ୍ରୀ ବି ବହୁତ ସମୟ ବସି ସମସ୍ତଙ୍କୁ ସାକ୍ଷାତ କରିଥିଲେ। ସନ୍ଧ୍ୟା ବେଳେ ସଚିବାଳୟର ବିଭିନ୍ନ ସ୍ଥାନରେ ଫୁଲ ଗଦା ଦେଖିବାକୁ ମିଳିଥିଲା।

By amfnews

Related Post