Fri. Mar 6th, 2026

ସଂପର୍କୀୟ ବୟସ୍କ ପୁତୁରାକୁ କୂଅରେ ପକାଇ ହତ୍ୟା କଲା କାକା, ନିଜେ କୂଅକୁ ଡେଇଁ ପାଣିରେ ବେକକୁ ଚାପି ଧରିଥିଲା

287 Views

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ନିଜ ପୁତୁରାକୁ କୂଅକୁ ଠେଲି ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁତୁରାଠାରୁ କାକା ବୟସରେ ସାନ ବୋଲି ଜାଣିବାକୁ ମିଳିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତ କାକାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବୃଦ୍ଧ ପୁତୁରା ଜଗଦାନନ୍ଦ ବେହେରା ତାଙ୍କ ଘର ପାଖରେ ଥିବା କୂଅ ପାଖରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତ କାକା ତାଙ୍କୁ ପଛରୁ କୂଅ ଭିତରକୁ ଠେଲି ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ବୃଦ୍ଧ ଜଗଦାନନ୍ଦ କୂଅ ପାଖରେ ଛିଡ଼ା ହୋଇଥିବା ବେ‌ଳେ ତାଙ୍କ ସଂପର୍କୀୟ କାକା ବାଙ୍କ ବେହେରା ତାଙ୍କୁ କୂଅରୁ ପାଣି ବାହାର କରିବାକୁ କହିଥିଲା। ଜଗଦାନନ୍ଦ କୂଅରୁ ପାଣି କାଢ଼ିବା ସମୟରେ ବାଙ୍କ ତାଙ୍କୁ ପଛରୁ ଠେଲି ଦେଇଥିଲା। ତା’ପରେ ନିଜେ ବାଙ୍କ ସେ କୂଅକୁ ଡେଇଁ ପଡ଼ିଥିଲା। ଜଗଦାନନ୍ଦ କୂଅରେ ପଡ଼ି ଚିତ୍କାର କରିବାରୁ ଆଖପାଖରେ ଥିବା ତାଙ୍କ ସଂପର୍କୀୟ ଜମା ହୋଇ କୂଅରୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ବାଙ୍କ ତାଙ୍କୁ କୂଅ ଭିତରେ ଚାପି ଧରି ତାଙ୍କର ହତ୍ୟା କରିଥିଲା।

ଖାଲି ସେତିକି ନୁହେଁ, ଯିଏ କୂଅ ଭିତରକୁ ଆସିବ ତାକୁ ମଧ୍ୟ ହତ୍ୟା ଧମକ ଦେଇଥିଲା ବାଙ୍କ। ଫଳରେ କୂଅ ଭିତରକୁ କେହି ପଶିବାକୁ ସାହସ କରିପାରିନଥିଲେ। ପରେ ଖବର ପାଇଁ ବଙ୍ଗୋମୁଣ୍ଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଜଗଦାନନ୍ଦଙ୍କ ମୃତ ଶରୀରକୁ କୂଅରୁ ବାହାର କରିବା ସହ ବାଙ୍କକୁ ବାନ୍ଧି ଥାନାକୁ ନେଇଯାଇଛି।

ଜାଣିବାକୁ ମିଳିଛ ଯେ ବାଙ୍କ ମାନସିକ ସ୍ତରରେ ଦୁର୍ବଳ। ୨୦୧୪  ମସିହାରେ ସେ ଜଣେ ନାବାଳକକୁ ଏକ ପୋଖରୀରେ ଚାପି ହତ୍ୟା କରିଥିଲା। ଏହି ମାମଲାରେ ବାଙ୍କ ଜେଲ ମଧ୍ୟ ଯାଇଥିଲା ।

By amfnews

Related Post