Tue. Dec 24th, 2024

ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ୍ ଆସୋସିଏସନ ଅଫ୍ ରାଉରକେଲାର ସାଧାରଣ ପରିଷଦ ବୈଠକରେ ଆର୍ଏସ୍ପି ଆଇଟିଆଇ କର୍ମଚାରୀଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ଉପରେ ବିସ୍ତୃତ ଆଲୋଚନା

By amfnews Nov 13, 2018 #Featured
198 Views

ରାଉରକେଲା, ୧୩/୧୧  : ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ୍ ଆସୋସିଏସନ ଅଫ୍ ରାଉରକେଲା (ଷ୍ଟାର)ର ସାଧାରଣ ପରିଷଦ ବୈଠକ ସଭାପତି ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସେକ୍ଟର-୧୯ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତିତ୍ୱ କରି ସଭାପତି ଶ୍ରୀ ବେହେରା କହିଲେ ଯେ, ଆର୍ଏସ୍ପି ଏବଂ ସେଲ୍ର ଅନ୍ୟ ୟୁନିଟ୍ମାନଙ୍କରେ ଆଇଟିଆଇ କର୍ମଚାରୀଙ୍କ ବିଭିନ୍ନ ସୁବିଧା ଅସୁବିଧା ନ୍ୟାର୍ଯ୍ୟ ଦାବିଗୁଡିକ ଉପରେ ଆଲୋଚନା କରିଥିଲେ । ୨୦୦୭ ମସିହା ପୂର୍ବରୁ ଆଇଟିଆଇ ପାସ୍ କରି ଜଣେ ପ୍ରାର୍ଥୀ ଆର୍ଏସ୍ପି ତଥା ସେଲ୍ରେ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା, ମେଡିକାଲ ଟେଷ୍ଟ ଦେଇ ଏସ୍-୩ ଗ୍ରେଡରେ ଟେକ୍ନିସିଆନ-କମ୍-ଅପରେଟର ପଦବୀରେ ନିଯୁକ୍ତି ପାଉଥିଲେ ।

ଏକ ବର୍ଷ ଟ୍ରେନିଂ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା । କିନ୍ତୁ ତା ପରେ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀମାନଙ୍କୁ ଏସ୍-୧ ଗ୍ରେଡ୍ରେ ଟେକ୍ନିସିଆନ କମ୍ ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ମିଳିଲା ଓ ଟ୍ରେନିଂ ସମୟକୁ ୨ ବର୍ଷ କରିଦିଆଗଲା । ଜଣେ ସାଧାରଣ ମାଟ୍ରିକ୍ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ଏସ୍-୧ ଗ୍ରେଡ୍ରେ ନିଯୁକ୍ତି ପାଉଥିବା ବେଳେ ଜଣେ ମାଟ୍ରିକ୍ ପରେ ଆଇଟିଆଇର ୨ ବର୍ଷ ପାଠ ପଢି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେହି ଏସ୍-୧ ଗ୍ରେଡ୍ରେ ନିଯୁକ୍ତି ପାଇବ ଯାହା ଏକ ଅନ୍ୟାୟ ତଥା ଅସାମ୍ବିଧାନିକ କାର୍ଯ୍ୟ । ଏହାଦ୍ୱାରା କୁଶଳୀ କର୍ମଚାରୀଙ୍କୁ ଅପମାନିତ କରାଯିବା ସହ ଶ୍ରମ ମର୍ଯ୍ୟାଦାର ଉଲ୍ଲଂଘନ ।

ମାନବ ସମ୍ବଳର ଏଭଳି ଦୁରୂପଯୋଗ ଓ ସ୍କିଲ୍ର ଉନ୍ନତି ପରିବର୍ତ୍ତେ ଅବନ୍ନତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ବେହେରା ଦୃଢୋକ୍ତି ପ୍ରକାଶ କରିଥିଲେ । ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ଦାଶ କହିଲେ ଯେ, ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀ ଏନ୍ସିଟିଭିଟି ସାର୍ଟିଫିକେଟ୍ ସହ ଆପ୍ରେଣ୍ଟିସ୍ ଟ୍ରେନିଂ ସମୟରେ ଅଲ୍ଇଣ୍ଡିଆ ଟ୍ରେଡ୍ ଟେଷ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥାଏ । ଭାରତ ତଥା ବିଦେଶର ଅନେକ କଳକାରଖାନା ଓ ଘରୋଇ ଉଦ୍ୟୋଗରେ ଜଣେ ଆଇଟିଆଇ ଗ୍ରେଡ୍ କର୍ମଚାରୀ ଅତିକୁଶଳୀ କାରିଗର କର୍ମଚାରୀର ମର୍ଯ୍ୟାଦା ପାଇଥାଏ ।

ଆର୍ଏସ୍ପିରେ ମଧ୍ୟ ଆଇଟିଆଇ ଗ୍ରେଡ୍ର କର୍ମଚାରୀମାନେ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ବିଭିନ୍ନ ବିଭାଗରେ ଅପରେସନ, ମେଣ୍ଟେନାନ୍ସ, ହାଉସ୍କିପିଂ, ସୁରକ୍ଷା ପରିଚାଳନା ଭଲି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଏହି ଗ୍ରେଡ୍ର କର୍ମଚାରୀମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । କେତେକ ବିଭାଗର ଅଫିସରମାନେ ଏହି ଗ୍ରେଡ୍ର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏହି ଗ୍ରେଡ୍ର କର୍ମଚାରୀର ଜୁନିୟର ଅଫିସର ପଦୋନ୍ନତି କ୍ଷେତ୍ରରେ ମାତ୍ର ୧୦% ପଦବୀ ରଖାଯାଉଛି, ଯାହା ଅତ୍ୟନ୍ତ ନଗଣ୍ୟ ।

ଏଣୁ ଏହାକୁ ଦୃଢ ବିରୋଧ କରାଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ମର୍ମରେ ଏକ ୫ ଦଫା ସମ୍ବଳିତ ଦାବିପତ୍ର କେନ୍ଦ୍ର ଇସ୍ପାତ ମନ୍ତ୍ରୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ସେଲ୍ ଚେୟାରମ୍ୟାନ, ଆର୍ଏସ୍ପି ସିଇଓ ଓ ଅନ୍ୟ ସାମ୍ବିଧାନିକ ଅଧିକାରୀମାନଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଏନ୍ଜେସିଏସ୍ରେ ଭାଗ ନେଉଥିବା ସମସ୍ତ ଟ୍ରେଡ୍ ୟୁନିୟନର ନେତାମାନଙ୍କୁ ସାକ୍ଷାତ କରି ନିଜର ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଅବଗତ ପାଇଁ ଉପସ୍ଥିତ ଶତାଧିକ କର୍ମଚାରୀ ଓ କର୍ମକର୍ତ୍ତାମାନେ ବଜ୍ର ଶପଥ ଗ୍ରହଣ କରିଛନ୍ତି ।

By amfnews

Related Post