Sat. Mar 7th, 2026

‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଦର୍ଶକଙ୍କ ସଂଖ୍ୟା ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ର ଦର୍ଶକ ସଂଖ୍ୟାକୁ ଟପିଲା

214 Views

ନୂଆଦିଲ୍ଲୀ: ଉନ୍ମୋଚନ ହେବାର ମାତ୍ର ବର୍ଷକ ମଧ୍ୟରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଦୈନିକ ଦର୍ଶକଙ୍କ ସଂଖ୍ୟା ୧୩୩ ବର୍ଷ ପୁରାତନ ଯୁକ୍ତରାଷ୍ଟ୍ର ଆମେରିକାର ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’କୁ ଟପି ଯାଇଛି। ଗୁଜରାଟର ଏହି ବିଶାଳ ପ୍ରତିମା ଦେଖିବାକୁ ଦୈନିକ ହାରାହାରି ୧୫, ୦୦୦ ଦର୍ଶକଙ୍କ ସମାଗମ ହେଉଛି।

ପ୍ରଥମ ବର୍ଷ ଠାରୁ (୨୦୧୮ ନଭେମ୍ବର ୧ ତାରିଖରୁ ୨୦୧୯ ଅକ୍ଟୋବର ୩୧ ପର୍ଯ୍ୟନ୍ତ) ଦର୍ଶକଙ୍କ ସଂଖ୍ୟା ୭୪% ବଢ଼ି ଦ୍ୱିତୀୟ ବର୍ଷର ପ୍ରଥମ ମାସ ସୁଦ୍ଧା ଦୈନିକ ଦର୍ଶକମାନଙ୍କ ସଂଖ୍ୟା ହାରାହାରି ୧୫, ୦୩୬ ହୋଇଥିବା କଥା ରେଜିଷ୍ଟର୍‌ରୁ ଜଣାପଡ଼ିଛି। ଏହାଛଡ଼ା ସପ୍ତାହନ୍ତ ଦିନଗୁଡ଼ିକରେ ଦର୍ଶକମାନଙ୍କ ସଂଖ୍ୟା ୨୨, ୪୩୦କୁ ବୃଦ୍ଧି ପାଇଛି।

ନ୍ୟୁୟର୍କସ୍ଥିତ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’କୁ ଦୈନିକ ପ୍ରାୟ ୧୦ ହଜାର ଦର୍ଶକ ଯାଉଛନ୍ତି। ଏ ସବୁ ତଥ୍ୟ ସର୍ଦାର ସରୋବର ନର୍ମଦା ନିଗମ ଲିମିଟେଡ୍‌ଙ୍କ ସୌଜନ୍ୟରୁ ମିଳିଛି। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ହେଉଛି ଦେଶର ପ୍ରଥମ ଗୃହମନ୍ତ୍ରୀ ବଲ୍ଲଭଭାଇ ପଟେଲ୍‌ଙ୍କ ପ୍ରତିମୂର୍ତ୍ତି। ୧୮୨ ମିଟର ଉଚ୍ଚ ଏହି ପ୍ରତିମା ହେଉଛି ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି। ଏ ବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା ୩୦, ୯୦, ୭୨୩ ଜଣ ପର୍ଯ୍ୟଟକ ସେଠାକୁ ଯାଇଛନ୍ତି ଏବଂ ଏଥିରୁ ୮୫. ୫୭ କୋଟି ଟଙ୍କା ଆୟ ହୋଇଛି।

By amfnews

Related Post