Sat. Mar 7th, 2026

ଷଣ୍ଢକୁ ଧକ୍କା ଦେଇ ଫସିଗଲେ ମଦ ବେପାରୀ

261 Views

ସୋର : ବାଇକ୍‌ରେ ମଦ ଚୋରା ଚାଲାଣ କରୁଥିଲେ। ହେଲେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଷଣ୍ଢ ସହିତ ଧକ୍କା ହୋଇଥିଲା। ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉଦ୍ଧାର କରିବାକୁ ପହଞ୍ଚିଥିବା ସ୍ଥାନୀୟ ଲୋକେ ମଦ ଚାଲାଣ ହେଉଥିବା ଜାଣିପାରି ଉତ୍ତମ ମଧ୍ୟମ ଦେଇଥିଲେ ଓ ତା’ ପରେ ଅବକାରୀ ବିଭାଗ ଜିମାରେ ଦେଇଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ସାହାସପୁର ନିକଟରେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ମହେନ୍ଦ୍ର ବେହେରା ଓ ଡମ୍ବୁର ଧର ବେହେରା ସେମାନଙ୍କର ଜଣେ ସାଥୀଙ୍କ ସହିତ ତିନିଟି ବାଇକ୍‌ରେ ଚୋରା ଦେଶୀ ମଦ ନେଇ ବାଲେଶ୍ୱରରୁ ଧାମରା ଅଭିମୁଖେ ଯାଉଥିଲେ। ତେବେ ସାହାସପୁର ନିକଟରେ ଏକ ଷଣ୍ଢ ସହ ଏକ ବାଇକର ଧକ୍କା ହୋଇଥିଲା। ଉକ୍ତ ବାଇକ୍‌ଟି ତଳେ ପଡ଼ି ଯିବା ପରେ ତା’ ପଛରେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଦୁଇଟି ବାଇକ୍ ମଧ୍ୟ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ବାଇକ୍ ଆରୋହୀ ତଳେ ପଡ଼ି ଯାଇଥିବା ଦେଖି ସ୍ଥାନୀୟ କିଛି ଲୋକ ସେମାନଙ୍କୁ ଉଠାଇବାକୁ ସେଠାକୁ ଧାଇଁ ଆସିଥିଲେ। ହେଲେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେମାନେ ଜାଣିପାରିଲେ ଯେ ଉକ୍ତ ବାଇକ୍ ଗୁଡ଼ିକରେ ମଦ ଚୋରା ଚାଲାଣ ହେଉଥିଲା। ସେମାନେ ଡମ୍ବୁର ଓ ମହେନ୍ଦ୍ରଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କ ଅନ୍ୟ ଜଣେ ସାଥୀ କୌଶଳକ୍ରମେ ସେଠାରୁ ଖସି ପଳାଇ ଥିଲା। ଉତ୍ତ୍ୟକ୍ତ ଲୋକେ ଡମ୍ବରୁ ଓ ମହେନ୍ଦ୍ରଙ୍କୁ ନିସ୍ତୁକ ପିଟିଥିଲେ ଓ ସେମାନଙ୍କ ବାଇକ୍‌କୁ ଭାଙ୍ଗି ଦେଇଥିଲେ। ପରେ ସେମାନଙ୍କୁ ଅବକାରୀ ବିଭାଗ ଜିମାରେ ଦିଆଯାଇଥିଲା। ଅବକାରୀ ବିଭାଗ ଅଧିକାରୀମାନେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

By amfnews

Related Post