Fri. Mar 6th, 2026

ଶ୍ରୀଶ୍ରୀ ବଟକେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠୀ ଓ ଦେବଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ

614 Views

ରାଉରକେଲା, ୧୯/୬ : ସେକ୍ଟର-୧୪ ହିଲ୍ଟପ ସ୍ଥିତ ଶ୍ରୀଶ୍ରୀ ବଟକେଶ୍ୱର ମହାପ୍ରଭୁଙ୍କ ବିବାହ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।  ଜ୍ୟେଷ୍ଠର ମଧ୍ୟରାତ୍ରୀ ଦିନ ସଂହାର କର୍ତ୍ତା ଦେବ ଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ପର୍ବ ପାଇଁ ସେକ୍ଟର-୧୪ ହିଲ୍ଟପ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ମହାଆଡମ୍ବର ସହକାରରେ ଅନୁଷ୍ଠିତ ହୋଇଥିଲା ।

ଦେବତା, ଗନ୍ଧର୍ବ, କିନ୍ନରଙ୍କ ସମାଗମରେ ସାରା ଦେବଭୂମି ପରିଣତ ହୋଇଛି । ଅଗଣିତ ଭକ୍ତଙ୍କ ମଧ୍ୟରେ ସୁସଜ୍ଜିତ ରଥରେ ବରବେଶରେ ସଜ୍ଜିତ ହୋଇ ଦେବ ଦେବ ମହାଦେବ ବାହାରିଛନ୍ତି ମାତା ପାର୍ବତୀଙ୍କ ଘର ଅଭିମୁଖେ । ଘଣ୍ଟ ଘଣ୍ଟା ବାଜା ରୋଷଣୀରେ ସହ ନୃତ୍ୟଗୀତରେ ବରଯାତ୍ରୀ ଦଳ ନାଚି ନାଚି ପାର୍ବତୀଙ୍କ ଘରେ ପହଞ୍ôଚବା ପରେ ଆରମ୍ଭ ହୋଇଥିଲା ଦେବଦମ୍ପତ୍ତିଙ୍କ ଶୁଭବିବାହ କାର୍ଯ୍ୟକ୍ରମ । ବ୍ରହ୍ମ ମୁହୂର୍ତ୍ତରେ ପଡିଛି ହାତଗଣ୍ଠି । ଦେବଦମ୍ପତ୍ତିଙ୍କ ବିବାହ ପର୍ବ ପାଇଁ ଆଜି ଉଭୟ ବରପକ୍ଷ ମାତା-ପିତା ଭାବେ ସୁଲୋଚନା ପଣ୍ଡା ଓ ସଦାଶିବ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ ।

ପ୍ରତ୍ୟୁଷରୁ ବରପକ୍ଷ ପକ୍ଷରୁ ବରଘରେ ଗଣ୍ଠିଲି ଫିଟା ଠାରୁ ଆରମ୍ଭ ଗନ୍ଧଷଣ, ରୁଦ୍ରାଭିଷେକ ଏବଂ କନ୍ୟା ଘରେ ହଳଦୀମଖା ଠାରୁ ଆରମ୍ଭ ତୈଳାଭିଷେକ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଏଥିପାଇଁ ସେକ୍ଟର-୧୪ ହିଲ୍ଟପ ମନ୍ଦିର ପରିସର ଦିନତମାମ ଉତ୍ସବମୁଖର ହୋଇଉଠିଥିଲା । ସନ୍ଧ୍ୟାରେ ବରଯାତ୍ରୀ ଦଳର ସ୍ୱାଗତ ପାଇଁ କନ୍ୟାପକ୍ଷ ସମିତା ମିଶ୍ର ଓ ପ୍ରବୀର କୁମାର ପଣ୍ଡା ପ୍ରମୁଖ ବରପକ୍ଷଙ୍କୁ ବାଟବରଣ କରି ବିବାହ ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ । ପରେ ଆରମ୍ଭ ହୋଇଥିଲା ଦେବଦମ୍ପତ୍ତିଙ୍କ ମାଙ୍ଗଳିକ ବିବାହ କାର୍ଯ୍ୟ । ଏହି ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ କରାଯାଇଥିଲା । ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ ।

ଦେବଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ପଣ୍ଡିତ ତ୍ରିଲୋଚନ ଭାଇନା, ନିତ୍ୟାନନ୍ଦ ଭାଇନା ଓ ମୁକ୍ତିକାନ୍ତ ଭାଇନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରମାନ୍ୱୟରେ କଳସ ଯାତ୍ରା ଓ ଘଟ ସ୍ଥାପନ ପରେ ସୂର୍ଯ୍ୟପୂଜା, ଗୋ-ପୂଜା, କୁଣ୍ଡ ମଣ୍ଡନାଦି ସଂସ୍କାର କର୍ମ ସହ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରେ ପାର୍ବତ୍ୟାନାମାଗ୍ନି, ରୁଦ୍ରାଭିଷେକ, ଚଣ୍ଡୀପାଠ ଓ ହୋମାଦି କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର କମିଟି ସଭାପତି ନିରଞ୍ଜନ ଦାସ, ସମ୍ପାଦକ ବ୍ରହ୍ମାନନ୍ଦ ଦେବତା, କୋଷାଧ୍ୟକ୍ଷ କୃତ୍ତିବାସ ମିଶ୍ର, ଉପସଭାପତି ଡ.ସନାତନ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କପିଳେଶ୍ୱର ମିଶ୍ର, ଏମ୍.କେ. ମଣ୍ଡଳ, ରତ୍ନାକର ତ୍ରିପାଠୀ, ସୁକାନ୍ତ ତ୍ରିପାଠୀ, ରାଜୁ ରାଓ, କଦ୍ମା ରାଓ, ଶୁଭ୍ରା ଦାସ, ସୁରେଶ ରାଉତ, ବାଞ୍ଛାନିଧି ମହାନ୍ତି, ଅଜିତ କଂସାରୀ, ମନୋଜ ନନ୍ଦ, ଶମ୍ଭୁ କଂସାରୀ, ଅଯୋଧ୍ୟା ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ । ଏଭଳି ମାଙ୍ଗଳିକ କାର୍ଯ୍ୟରେ ସେକ୍ଟରବାସୀ ତଥା ଆଖପାଖ ଅଞ୍ଚଳର ବାସିନ୍ଦାମାନେ ବହୁ ସଂଖ୍ୟାରେ ଯୋଗଦାନ ଐଶ୍ୱରୀକ କରୁଣା ଲାଭ ସହ ସାମୁହିକ ପ୍ରସାଦ ସେବନରେ କରିଥିଲେ ।

Related Post