Thu. Dec 26th, 2024

ଶ୍ରୀମନ୍ଦିର ଢାଞ୍ଚାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର : କ୍ୟାବିନେଟ୍ ରେ ଲିଙ୍ଗରାଜ ମନ୍ଦିରର ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଞ୍ଜୁରୀ

By amfnews Dec 14, 2020 #Featured
323 Views

ଭୁବନେଶ୍ୱର, ଡିସେମ୍ବର ୧୪ : ପୁରୀ ଶ୍ରୀମନ୍ଦିରର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ପ୍ରସ୍ତାବିତ ସ୍ୱତନ୍ତ୍ର ଅଧ୍ୟାଦେଶକୁ ଆଜି ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ କରିଛି । ଯାହା ଦ୍ୱାରା ଏବେ ଠାରୁ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିୟମ ଓ ଆଇନ୍ ଲାଗୁ ହେବାକୁ ଯାଉଛି । ଶ୍ରୀଲିଙ୍ଗରାଜ ମନ୍ଦିର ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରିବା ନିମନ୍ତେ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ପାଇଁ ନିଷ୍ପତି ନିଆଯାଇଛି । ଅଧ୍ୟାଦେଶରେ ପରିଚାଳନା କମିଟିର ଗଠନ, ସଭ୍ୟ ସଂଖ୍ୟା, କ୍ଷମତା ପରିସର, ଦାୟିତ୍ୱ ଆଦି ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ସେହିପରି ପୁରୀ ଶ୍ରୀ ମନ୍ଦିର ଭଳି ଲିିଙ୍ଗରାଜ ମନ୍ଦିରର ମଧ୍ୟ ଜଣେ ପ୍ରଶାସକ ରହିବେ । ତାଙ୍କର କ୍ଷମତା ପରିସର ସମ୍ପର୍କରେ ମଧ୍ୟ ଅଧ୍ୟାଦେଶରେ ଉଲ୍ଲେଖ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ ପ୍ରସ୍ତାବ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି ।

ଯେହେତୁ ବିଧାନସଭା ଏବେ ମୁଲତବୀ ଅଛି ତେଣୁ ଅଧ୍ୟାଦେଶ ଜରିଆରେ ଲିଙ୍ଗରାଜ ମନ୍ଦିର ଆଇନର ବ୍ୟବସ୍ଥା କରାଯାଇଛି । ଶ୍ରଲିଙ୍ଗରାଜ ମନ୍ଦିର, ଏହାର ସମ୍ପତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟପାରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ ଆଜି କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଗତ ୨ ତାରିଖରେ ନିଜର ଲିଙ୍ଗରାଜ ମନ୍ଦିର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଆଇନ ପ୍ରଣୟନ ସମ୍ପର୍କରେ ଘୋଷଣା କରିଥିଲେ । ଏହି ଆଇନ ଲାଗୁ ହେଲେ ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକ୍ରାନ୍ତି ଠାରୁ ଆରମ୍ଭ କରି ଆୟ ଓ ଖର୍ଚ୍ଚର ଦାୟିତ୍ୱ ମନ୍ଦିର ପ୍ରଶାସନ ନେବ । ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଜଣେ ମୁଖ୍ୟ ପ୍ରଶାସକ ରହିବେ । ମନ୍ଦିରକୁ ସରକାରୀ ଅନୁଦାନ ନିୟମିତ ମିଳିବ । ମନ୍ଦିର ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ସମୟରେ ତ୍ୱରିତ ପଦକ୍ଷେପ ନିଆଯାଇପାରିବ ।

By amfnews

Related Post