ଶ୍ରୀନଗର : ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ଗତକାଲି ଶ୍ରୀନଗର ବିମାନ ବନ୍ଦରରୁ ଫେରିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ତାଙ୍କୁ ବିମାନ ବନ୍ଦର ବାହାରକୁ ଛାଡ଼ିନଥିଲେ। ଏହାପରେ ସେ ବାଧ୍ୟ ହୋଇ ଅନ୍ତିମ ବିମାନରେ ଶ୍ରୀନଗରରୁ ଦିଲ୍ଲୀ ଫେରିଛନ୍ତି।
ଗତକାଲି ଯଶବନ୍ତ ସିହ୍ନା ପୂର୍ବତନ ଏୟାର ମାର୍ଶଲ କପିଲ କକ୍ ଏବଂ ସାମାଜିକ ଆନ୍ଦୋଳନର ନେତା ସୁଶୋଭା ଭାବେଙ୍କ ସହ ଅପରାହ୍ନରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଥିଲେ।
ବିନା କୌଣସି ସୂଚନାରେ ଯଶବନ୍ତ ସିହ୍ନା ଶ୍ରୀନଗର ଯାଉଥିଲେ। ହଠାତ୍ ଶ୍ରୀନଗର ବିମାନବନ୍ଦର କର୍ତ୍ତୃପକ୍ଷ ସିହ୍ନାଙ୍କୁ ଦେଖିବା ପରେ ତାଙ୍କୁ ତୁରନ୍ତ ଭିଆଇପି ସେବା ଯୋଗାଇ ଦେଇଥିଲେ। ଏହାପରେ ସ୍ଥାନୀୟ ପ୍ରଶାସନ ବିନମ୍ରତାର ସହ ଯଶବନ୍ତ ସିହ୍ନାଙ୍କୁ ଫେରିଯିବା ପାଇଁ ଅନୁରୋଧ କରିଥିଲା। ଏହି ସମୟରେ ଯଶବନ୍ତ ସିହ୍ନା ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ କେଉଁ ଆଇନ ଆଧାରରେ ଜମ୍ମୁ କଶ୍ନୀରକୁ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ ତା’ର କାଗଜ ପତ୍ର ଦେଖାଇବାକୁ। ଏହାପରେ ସେ କହିଥିଲେ ଯେତେ ସମୟ ପର୍ଯ୍ୟନ୍ତ ତାଙ୍କୁ ସହର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆନଯିବ ସେ ସମୟ ଯାଏ ବିମାନ ବନ୍ଦରରେ ରହିବେ। ଏହାପରେ ରାଜ୍ୟ ପ୍ରଶାସନ ଏବଂ ପୁଲିସ ଅଧିକାରୀ ସିହ୍ନାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ। ଶେଷରେ ଶ୍ରୀନଗରରୁ ଦିଲ୍ଲୀ ଆସୁଥିବା ଅନ୍ତିମ ବିମାନରେ ଫେରିଥିଲେ ସିହ୍ନା। ହେଲେ ସିହ୍ନାଙ୍କ ସହ ଯାଇଥିବା ଅନ୍ୟ ଦୁଇ ସଦସ୍ୟ ଶ୍ରୀନଗର ସହର ଭିତରକୁ ଯାଇଥିଲେ।