ଯାଜପୁର, ଡିସେମ୍ବର ୦୫ : ଭୋକ ମାରିବାକୁ ମୁଠାଏ ଦାନା ଆଉ ଶୋଷ ମେଂଟିବାକୁ ମୁନ୍ଦାଏ ପାଣି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଏତକ ଯୋଗାଇ ଦେବାକୁ ସରକାର କାହିଁ କେବେଠାରୁ ସଂକଳ୍ପ ନେଲେଣି । ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରଙ୍କ ଦୃଢ ପ୍ରତିଶୃତି ମୁତାବକ ରାଜ୍ୟରେ ପାନୀୟ ଜଳ ପ୍ରଦାନ କ୍ଷେତ୍ରରେ ନାହିଁ ନଥିବା ବିକାଶ ହୋଇଛି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଅଂଜିରା ପଂଚାୟତର ଗମାରିଆ ଏ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ । ଏଠାରେ ଲୋକେ ପ୍ରାୟ ୫୦୦ ମିଟର ପଥ ଅତିକ୍ରମ କରି ଚୁଆ ଖୋଳି ଦୂଷିତ ପାଣିକୁ ବର୍ଷ ବର୍ଷ ଧରି ପିଉଛନ୍ତି । କ୍ଷମତାସୀନ ନେତା ଓ ପ୍ରଶାସନ ନିକଟରେ ଏମାନଙ୍କ ସମସ୍ୟା ଓ ଦଃୁଖ ନେଇ ଯେତେ ସବୁ ଗୁହାରିର କୌଣସି ସୁଫଳ ମିଳିନାହିଁ ।
ଦଇତାରୀ- ପାରାଦ୍ୱୀପ ଏକ୍ସେପ୍ରେସ ହାଇୱେ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ବଡ ସ୍ୱପ୍ନ ଓ ସଫଳତାର ସଂକଳ୍ପ । ଏହି ରାସ୍ତାର ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ କଡରେ ଅବସ୍ଥିତ ଧର୍ମଶାଳା ବ୍ଲକର ଅଂଜିରା ପଂଚାୟତ । ଅଂଜିରା ପଂଚାୟତ ମଝିରେ ଏହି ଜାତୀୟ ରାଜପଥ ଅତିକ୍ରମ କରିଛି । ଅଂଜିରା ମୌଜାରେ ବହୁ ବଡ ବଡ ଶିଳ୍ପ ବେଆଇନ ଭାବେ ନିଜର ପଞ୍ଜା ମେଲାଇ ଥିବା ବେଳେ ଏହାର ପ୍ରଦୂଷଣରେ ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଏହି ପଂଚାୟତରେ ଥିବା ଗମାରିଆ ଆଦିବାସୀ ବସ୍ତିର ଗୋଟିଏ ପଟରେ ଥିବା ଲୋକ ମାନଙ୍କ ପାଇଁ ଦୁଇଟି ଟ୍ୟୁୱେଲ ଥିବା ବେଳେ ସରକାରଙ୍କ ନିୟମ ଅନୁସାରେ ଏହି ପାଣିର ମାନ ବାସ୍ତବରେ ବର୍ଷ ବର୍ଷ ଧରି ପରୀକ୍ଷା ନିରୀକ୍ଷା ହୋଇନାହିଁ । କେବଳ କାଗଜ କଲମରେ ହୋଇଥାଏ ପାଣିର ମାନ ପରୀକ୍ଷା । ସେଥିପାଇଁ ଗମାରିଆ ଗାଁର ଗୋଟିଏ ପଟର ଲୋକେ ଟ୍ୟୁୱେଲରୁ ବାହାରୁଥିବା ଦୂଷିତ ପାଣି ପିଇଥାନ୍ତି । ଗମାରିଆ ଗାଁର ଅନ୍ୟ ପଟରେ ପାହାଡ ପାଦଦେଶରେ ଥିବା ପ୍ରାୟ ୩୦ ପରିବାରଙ୍କ ପାଇଁ ପାଣି ପିଇବାକୁ ଗୋଟିଏ ହେଲେ ବି ଟ୍ୟୁୱେଲ ନାହିଁ । ଲୋକେ ପାହାଡ ତଳେ ଥିବା ଏକ ସ୍ଥାନରେ ଚୁଆ ଖୋଳି ମାସେ ଦୁଇ ମାସ ନୁହେଁ ବରଂ ବର୍ଷ ବର୍ଷ ଧରି ପାଣି ପିଉଛନ୍ତି ।
ଏମାନେ ଏଠାରେ ଦୀର୍ଘବର୍ଷ ହେଲା ସ୍ଥାୟୀ ବାସିନ୍ଦା ଭାବେ ଜୀବନ ବିତାଉଛନ୍ତି । ଭୋଟର ଫଟୋ ପରିଚୟ ପତ୍ର ରହିଛି, ଭୋଟ ବି ଦେଇ ଆସୁଛନ୍ତି ଏବଂ ରାସନ କାର୍ଡ ବି ପାଇଛନ୍ତି । ବଡ ବଡିଆଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ନୁହେଁ ବରଂ ଏହିଭଳି ଦଃୁସ୍ଥ ମଣିଷ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ଅସଲ ମୂଳ ଲକ୍ଷ । ଲୋକଙ୍କ ସମସ୍ୟାକୁ ନିକଟରୁ ଦେଖିବା ଏବଂ ସମାଧାନ ପାଇଁ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଚାଲିଛି ବି.ଜେ.ଡିର ଜନସମ୍ପର୍କ ପଦଯାତ୍ରା । ଧର୍ମଶାଳାରେ ମାଇକ, ବାଜା ବାଣ ମଧ୍ୟରେ କ୍ଷମତାସୀନ ନେତାଙ୍କ ପଦଯାତ୍ରା ହୋଇଛି । ଧର୍ମଶାଳାରେ ବିଧାୟକ ସର୍ବାଧିକ ପଥ ଜନସମ୍ପର୍କ ପଦଯାତ୍ରା କରିଥିବାର ଗଣମାଧ୍ୟମରେ ମିଛ ପ୍ରଚାର କରାଯାଉ ଥିବା ବେଳେ ଏଭଳି ଅନେକ ଗାଁର ସମସ୍ୟା କିନ୍ତୁ ଦୃଷ୍ଟିକୁ ଆସି ପାରୁନାହିଁ ।
ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଏହି ଗ୍ରାମକୁ ପରିଦର୍ଶନରେ ଯାଇ ପାନୀୟ ଜଳ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିବା ସହ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିବେ ଓ ନବୀନ ପଟ୍ଟନାୟକ ସରକାର ଏଭଳି ସମସ୍ୟାକୁ ସମାଧାନ ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରତିଶୃତି ଦେଇଛନ୍ତି ।
336 Views