Fri. Jan 24th, 2025

ଶୋକ ପ୍ରସ୍ତାବରେ ଉଠିଲା ବିରୋଧର ସ୍ୱର, କେଭିଙ୍କୁ ବିରୋଧ କଲେ ଦେବାଶିଷ

By amfnews Sep 4, 2018 #Featured
230 Views

ଭୁବନେଶ୍ୱର, ସେପ୍ଟେମ୍ବର ୪ :

ଓଡ଼ିଶାରେ ପ୍ରତ୍ୟେକ କଥାରେ କେଁ ବାହାରକରିବା ରାଜନୈତିକ ଦଳମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । ବିଧାନସଭାରେ ବିରୋଧୀ ଦଳ ଶାସକ ଦଳକୁ ଘେରନ୍ତି ଏବଂ ଶାସକ ଦଳ ମଧ୍ୟ ଦୃଢ଼ ଜବାବ ଦିଅନ୍ତି । କିନ୍ତୁ ଶୋକ ପ୍ରସ୍ତାବରେ ବି ବିରୋଧର ସ୍ୱର ଉଠିବା ସମସ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟ ମନ୍ତବ୍ୟ ରଖୁଥିବାବେଳେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ବିରୋଧ କରିଛନ୍ତି । ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଶୋକ ପ୍ରସ୍ତାବ ବେଳେ ଏମିତି ହେବା ଉଚିତ ନୁହେଁ ।

ଶୋକ ପ୍ରସ୍ତାବ ଭାଷଣରେ ଥିଲା ବିଜେପି ଏଜେଣ୍ଡା: ଦେବାଶିଶ ସାମନ୍ତରାୟ

ମୁଁ ମୋ ବ୍ୟକ୍ତିଗତ ମନ୍ତବ୍ୟ ରଖିଛି: କେ ଭି ସିଂହଦେଓ 

ଶୋକ ପ୍ରସ୍ତାବରେ ଶ୍ରଦ୍ଧାଞ୍ଜଳୀ ଦିଆଯାଏ, ଏମିତି ହେବା ଉଚିତ ନ ଥିଲା: ନରସିଂହ ମିଶ୍ର

ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଦିବ୍ୟଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ସମ୍ପର୍କରେ ସୁଦୀର୍ଘ ଲିଖିତ ଭାଷଣ ପଢୁଥିଲେ । ତେବେ ଶାସକ ଦଳର କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଏହାର ପ୍ରତିବାଦ କରିଥିଲେ । ସେ କହିଥିଲେ ଯେ ଲିଖିତ ଭାଷଣରେ ରାଜନୈତିକ ମନ୍ତବ୍ୟ ଦିଆଯାଉଛି । ଶ୍ରୀ ସିଂହଦେଓ ଏଥିପ୍ରତି ଗୁରୁତ୍ୱ ନ ଦେଇ ଭାଷଣ ପଢି ଚାଲିଥିଲେ ।

ତେବେ ଗୃହ ବାହାରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଶୋକ ପ୍ରସ୍ତାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦେଇଛନ୍ତି ସିଂହଦେଓ । ସେ ଶୋକ ପ୍ରସ୍ତାବରେ ବିଜେପି ଆଜେଣ୍ଡା ରଖିଥିଲେ । ବାଜପେୟୀଙ୍କର ସୁଦୀର୍ଘ ବିବରଣୀ ରଖୁଥିବାବେଳେ ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କିମ୍ବା ଲୋକସଭା ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସଂପର୍କରେ କିଛି ମନ୍ତବ୍ୟ ରଖି ନ ଥିଲେ । ବାଜପେୟୀ ନବୀନଙ୍କୁ କଣ ଶିଖାଇଛନ୍ତି ତାହା କହିବା ଉଚିତ ନ ଥିଲା ।  କିନ୍ତୁ ଶ୍ରୀ ସିଂହଦେଓ ଏହାର ଜବାବରେ କହିଛନ୍ତି ଯେ କୌଣସି ରାଜନୈତିକ ଭାଷଣ ଦେଇ ନାହିଁ । ମୁଁ ମୋ ମନକଥା କହିଲି । ତାଙ୍କ ପାଇଁ ତାହା ଗ୍ରହଣୀୟ ନ ହୋଇପାରେ । ଅଟଳଜୀ ନବୀନଙ୍କୁ ହାତ ଧରି ରାଜନୀତିରେ ଚାଲିବା ଶିଖାଇଥିଲେ ।

ବିରୋଧୀ ଦଳ ନେତା କହିଛନ୍ତି ଯେ ଶୋକ ପ୍ରସ୍ତାବରେ ଦିବ୍ୟଙ୍ଗତମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା କଥା । କିନ୍ତୁ ଶ୍ରଦ୍ଧାଞ୍ଜଳୀ ଦେବା ବେଳେ ଗୃହରେ ଯାହା କିଛି ବି ଘଟିଛି ତାହା ହେବା ଉଚିତ ନ ଥିଲା ବୋଲି ମତ ରଖିଛନ୍ତି ।

By amfnews

Related Post