Sat. Mar 7th, 2026

ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ବସ୍‌ ଚଢ଼ିଯିବାରୁ ୭ ମୃତ

221 Views

ବୁଲନ୍ଦସର  : ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବୁଲନ୍ଦସରର ରାସ୍ତାକଡ଼ରେ ଶୋଇଥିବା ଦଳେ ତୀର୍ଥଯାତ୍ରୀଙ୍କ ଉପରେ ବସ୍‌ ଚଢ଼ି ଯିବାରୁ ସାତଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଚାରି ଜଣ ମହିଳା ଓ ତିନ ଜଣ ନାବାଳିକା।

ଗଙ୍ଗା ନଦୀ ପାଖ ଗାନ୍ଧୀ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଜମ୍ମୁ ଓ କଶ୍ମୀରସ୍ଥିତ ମାତା ବୈଷ୍ଣୋଦେବୀ ପୀଠରୁ ତୀର୍ଥଯାତ୍ରା ସାରି ହାଥ୍ରସ ଜନପଦକୁ ଫେରୁଥିଲେ। ଅକ୍ଟୋବର ୩ ତାରିଖରେ ମୋହନପୁର ଗାଁରୁ ତୀର୍ଥ ଯାତ୍ରାରେ ୫୬ ଜଣ ଲୋକ ବାହାରିଥିଲେ। ଫେରିବା ବାଟରେ ରାତି ପ୍ରାୟ ୨: ୩୦ ମିନିଟ୍‌ରେ ବିଶ୍ରାମ ନେବା ପାଇଁ ଆଗ୍ରା-ମୋରାଦାବାଦ ରାଜପଥର ଗାନ୍ଧୀ ଘାଟ ନିକଟରେ ଡ୍ରାଇଭର୍‌ ବସ୍‌ ଅଟକାଇଥିଲେ।

ସେହି ବସ୍‌ରୁ ସାତ ଜଣ ଓହ୍ଲାଇ ପଡ଼ି ରାସ୍ତାକଡ଼ରେ ଶୋଇପଡ଼ିଥିଲେ। ରାତି ପ୍ରାୟ ୪ଟା ବେଳେ ଗୋଟାଏ ଦ୍ରୁତଗାମୀ ବସ୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା।

ପୁଲିସ କହିବା ଅନୁସାରେ, ଘଟଣାସ୍ଥଳରରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ତିନି ଜଣ ସଦସ୍ୟ। ବ୍ୟବଚ୍ଛେଦ ନିମନ୍ତେ ଶବଗୁଡ଼ିକୁ ପଠାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର୍‌ ଖସି ପଳାଇ ଯାଇଥିବା ଜଣାପଡ଼ିଛି।

By amfnews

Related Post